ଶ୍ୱାସ ରୋଗର ପ୍ରାକୃତିକ ଚିକିତ୍ସା ପାଇଁ ଆପଣାନ୍ତୁ ଏହି ଟିପ୍ସ –

114

ସାଧାରଣ ଶ୍ୱାସ ରୋଗରେ ପୀଡ଼ିତ ବ୍ୟକ୍ତି ଶ୍ୱାସକ୍ରିୟା ଜନିତ କଷ୍ଟ ଭୋଗିଥାଏ । ପ୍ରଶ୍ୱାସ ନେବା ଓ ନିଃଶ୍ୱାସ ଛାଡିବା ବେଳେ ଯନ୍ତ୍ରଣା ହୁଏ । ଶ୍ୱାସ ନଳିରେ କଫ ଜମେ । ଏହାର ମୁଖ୍ୟ କାରଣ : ପ୍ରଦୂଷଣ, ଗଳା ଫୁଲିବା, ଅଧିକ ଦିନ ଧରି ସର୍ଦ୍ଦି ଲାଗିରହିବା, କାଶ, ବ୍ରୋଙ୍କାଇଟିସ, ଅପସ୍ମାର, ଧୂମପାନ, ତମାଖୁ ସେବନ । ରୋଗୀ ଭେଷଜ ଚିକିତ୍ସା ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ।

ଉପଚାର : ଖାଦ୍ୟ-ପେୟ ପ୍ରତି ସତର୍କ ଦୃଷ୍ଟି ଜରୁରୀ । ଥରକେ ଅଳ୍ପ ପରିମାଣର ଖାଦ୍ୟ ଖାଇବା ଉଚିତ । ଏ ଭଳି ଖାଦ୍ୟ ଖାଇବା ଉଚିତ, ଯେ ପରି କୋଷ୍ଠକାଠିନ୍ୟ ସମସ୍ୟା ନ ହୁଏ । ପେଟ ସଫା ରହିବା ଦରକାର । ଶ୍ୱାସ ରୋଗୀ ପାଇଁ ସର୍ବଦା ଉଷୁମ ପାଣିରେ ସ୍ନାନ କରିବା ଭଲ । ତେବେ ମଝିରେ ମଝିରେ ତାଳୁରେ ଥଣ୍ଡା ପାଣି କନା ପଟି ଦେବା ଉଚିତ୍ । ଅଧିକ କଷ୍ଟ ବେଳେ ହାତ ଓ ପାଦ ଗରମ ପାଣିରେ ବୁଡ଼ାଇରଖିଲେ ଆରାମ ମିଳେ ।

ଗରମ ପାଣିରେ ନୀଳଗିରି ତେଲ ପକାଇ, ବେକ, ଛାତି ଓ ନାକରେ ବାମ୍ଫ ଦେବା ଉଚିତ । ପ୍ରତିଦିନ ପନ୍ଦର-କୋଡ଼ିଏ ମିନିଟ ବାମ୍ଫ ଦେବା ଭଲ । ପ୍ରତି ଦିନ ଅଦା, ମହୁ ଓ ତୁଳସୀ ପତ୍ର ଗରମ ପାଣିରେ ଫୁଟାଇ ଉଷୁମ ଥିବା ବେଳେ ପିଇବା ଉଚିତ । ଯଦି ଲେମ୍ବୁ କୌଣସି ସମସ୍ୟା କରୁ ନଥିବ, ଏହାର ରସ ମିଶାଇଲେ ଅଧିକ ଉପକାର ମିଳେ । ରୋଗୀ ଗରିଷ୍ଠ ଖାଦ୍ୟ-ପେୟଠାରୁ ଦୂରେଇରହିବା ଭଲ । ବେଳେ ବେଳେ ଉପବାସ କରିବା ଉଚିତ । ଶ୍ୱାସ ରୋଗକୁ ମୁକ୍ତି ମିଳିବା ପରେ ନିୟମିତ ବ୍ୟାୟାମ କଲେ, ସାଧାରଣତଃ ରୋଗ ଫେରେ ନାହିଁ ।