ପୃଥିବୀ ଆଡକୁ ମାଡି ଆସୁଛି କ୍ଷୁଦ୍ରଗ୍ରହ : ସୁରକ୍ଷିତ ଭାବେ ଅତିକ୍ରମ କରିବ ନା ବିପଦ ଆଣିବ ? ଜାଣନ୍ତୁ ଏହି ରିପୋର୍ଟରୁ

45

କନକ ବ୍ୟୁରୋ: ଦ୍ରୁତଗତିରେ ପୃଥିବୀ ଆଡକୁ ମାଡି ଆସୁଛି କ୍ଷୁଦ୍ରଗ୍ରହ । ଅକ୍ଟୋବରରେ ପୃଥିବୀର ନିକଟତର ହୋଇ ଅତିକ୍ରମ କରିପାରେ ଏହି କ୍ଷୁଦ୍ରଗ୍ରହ । କିନ୍ତୁ ଏହି ଦୂରତ୍ୱ କେତେ ହେବ ତାହା ଆକଳନ କରିବା ସମ୍ଭବ ହୋଇନଥିବା କହିଛନ୍ତି ଜ୍ୟୋତିର୍ବିଦ୍ ।

ଚନ୍ଦ୍ରକକ୍ଷର ନିକଟତର ହେବା ସହ ପୃଥିବୀ ଆଡକୁ ଆସୁଛି ଏକ କ୍ଷୁଦ୍ରଗ୍ରହ । ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ପୃଥିବୀର ନିକଟତମ ହୋଇ ଅତିକ୍ରମ କରିବ । ତେବେ ପୃଥିବୀ ପ୍ରତି ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବୈଜ୍ଞାନିକ । ଯଦିଓ ଏହା କେତେ ନିକଟତର ହେବ ଆକଳନ କରାଯାଇନାହିଁ ତଥାପି ୬ ହଜାର ୮ଶହ କିଲୋମିଟରରୁ ଅଧିକ ନିକଟତର ହେବ ନାହିଁ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତିି । ତେବେ ଗ୍ରହମାନଙ୍କ ଗତିବିଧି ଓ ସୁରକ୍ଷାକୁ ନେଇ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ପାଇଁ ଏହା ଲାଭଜନକ ହୋଇପାରେ ।

‘୨୦୧୨ ଟିସି ୪’ ନାମକ ଏହି କ୍ଷୁଦ୍ରଗ୍ରହ ଅକ୍ଟୋବର ୧୨ ତାରିଖରେ ପୃଥିବୀ ପାଖ ଦେଇ ସୁରକ୍ଷିତ ଭାବେ ଅତିକ୍ରମ କରିବ । ଏହି ଗ୍ରହର ଆକାର ପ୍ରାୟ ୧୦ରୁ ୩୦ ମିଟର ହୋଇଥିବା ଅନୁମାନ କରାଯାଉଛି । ୨୦୧୨ ଅକ୍ଟୋବରେ ଠାବ କରାଯାଇଥିବା ଏହି କ୍ଷୁଦ୍ରଗ୍ରହଟି ସେକେଣ୍ଡ ପ୍ରତି ପ୍ରାୟ ୧୪ କିଲୋମିଟର ବେଗରେ ଗତି କରୁଥିବା ଜଣାପଡିଛି । ଅତିି ଶକ୍ତିଶାଳୀ ଟେଲିସ୍କୋପ ଦ୍ୱାରା ଏହି କ୍ଷୁଦ୍ରଗ୍ରହ ଉପରେ ନଜର ରଖାଯାଉଛି । ତେବେ ୫ବର୍ଷ ପୂର୍ବେ ଏହା ପୃଥିବୀ ଠାରୁ ବହୁ ଦୂରରେ ଧୂମାଳ ଅବସ୍ଥାରେ ଥିବାରୁ ଏହାକୁ ନିରୀକ୍ଷଣ କରିବା ସମ୍ଭବ ହୋଇନଥିଲା ।

ନାସା ମୁଖ୍ୟାଳୟର ଟିସି୪ ନିରୀକ୍ଷଣ ଅଭିଯାନର ମୁଖ୍ୟ ମାଇକେଲ୍ କେଲୀ କହିଛନ୍ତି, ବୈଜ୍ଞାନିକମାନେ ସର୍ବଦା ଏଭଳି ମୁହୁର୍ତ୍ତର ଅପେକ୍ଷାରେ ରହିଥାନ୍ତି । ପୃଥିବୀ ନିକଟରେ କୌଣସି ଗ୍ରହନକ୍ଷତ୍ର ଅତିକ୍ରମ କରିବା ଦ୍ୱାରା ବୈଜ୍ଞାନିକଙ୍କୁ ଅଧିକ ତଥ୍ୟ ଜାଣିବାକୁ ମିଳିଥାଏ । ସୁରକ୍ଷିତଭାବେ ଅତିକ୍ରମ କରିବାକୁ ଥିବା ଏହି କ୍ଷୁଦ୍ରଗ୍ରହକୁ ମହାକାଶ ପଥର ଏକ ପଥର ଠାରୁ ବଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ବୈଜ୍ଞାନିକଙ୍କ ମତରେ, ୬୫ମିଲିୟନ ବର୍ଷ ପୂର୍ବେ ପୃଥିବୀ ସହ ଏଭଳି ଏକ ବଡଗ୍ରହ ଧକ୍କା ହେବା ଦ୍ୱାରା ଡାଇନେସୋର ବଂଶ ଲୋପ ପାଇଥିଲା । ସେହିପରି ୨୦୧୩ ଫେବୃଆରୀରେ ଋଷର ଚୈଲ୍ୟାବିସ୍କ ଠାରେ ଏକ କ୍ଷୁଦ୍ରଗହ ବାୟୁମଣ୍ଡଳ ସହ ଧକ୍କା ହୋଇଥିଲା । ଏହାର ତୀବ୍ରତାରେ ୧୦ କିଲୋମିଟର ମଧ୍ୟରେ ଥିବା ବିଭିନ୍ନ କୋଠାଘର କ୍ଷତିଗ୍ରସ୍ତ ହୋଇଥିଲା ଏବଂ ପ୍ରାୟ ୧୫ଶହ ଲୋକ ଆହତ ହୋଇଥିଲେ । ୧୯୦୮ରେ ମଧ୍ୟ ସାଇବେରିଆରେ ଘଟିଥିବା ଏଭଳି ଏକ ଘଟଣାକ୍ରମରେ ୮୦ ମିଲିୟନ ଗଛ ନଷ୍ଟ ହୋଇଯାଇଥିଲା । ତେବେ ଅକ୍ଟୋବରରେ ଟିସି୪ କ୍ଷୁଦ୍ରଗ୍ରହ ପୃଥିବୀ ଅତିକ୍ରମ କରିବା ଦ୍ୱାରା କୌଣସି କ୍ଷୟକ୍ଷତି ହେବ ନାହିଁ ଆକଳନ କରାଯାଉଛି ।