ଫୋନି ଭାଙ୍ଗି ଦେଇଛି ସ୍କୁଲ । ପିଲା ପାଠ ପଢିବେ କେଉଁଠି? କେବେ ପୁନରୁଦ୍ଧାର ହେବ ସ୍କୁଲ? ଚିନ୍ତାରେ ଛାତ୍ରଛାତ୍ରୀ

ବାତ୍ୟା ଫୋନିକୁ ବିତିଲାଣି ୪୦ରୁ ଅଧିକ ଦିନ

103

କନକ ବ୍ୟୁରୋ : ବାତ୍ୟା ଫୋନିକୁ ବିତିଲାଣି ୪୦ରୁ ଅଧିକ ଦିନ । ହେଲେ ଆଜି ଯାଏଁ ସଜାଡି ହୋଇପାରିଲା ନାହିଁ ଅସ୍ତରଂଗ ଓ କାକଟପୁର ଅଂଚଳରେ ଥିବା ଅନେକ ସ୍କୁଲ । ଗ୍ରୀଷ୍ମ ଅବକାଶ ପରେ ଖୋଲିଲା ବିଦ୍ୟାଳୟ , ପାଠ ପଢିବା ଲାଗି ଆସିଲେ ପିଲା । ହେଲେ ବସିବେ କେଉଁଠି? ପାଠ ପଢିବେ କେଉଁଠି? ତାହାକୁ ନେଇ ବଢୁଛି ଚିନ୍ତା । ଏହାରି ଭିତରେ ବି ସ୍ଥାନୀୟ ଅଂଚଳର ୪ ଟି ସ୍କୁଲର ପିଲା ପାଠପଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କେବଳ ଯେ, ଆଗ୍ରହ ଦେଖାଇଛନ୍ତି ତାହା ନୁହେଁ ପାଠ ପଢିବା ଲାଗି ବିଦ୍ୟାଳୟକୁ ମଧ୍ୟ ଆସୁଛନ୍ତି । କିନ୍ତୁ ସଠିକ ଭାବରେ ସ୍କୁଲ ସଜଡା ହୋଇ ପାରିନଥିବାରୁ ଓଦାରେ ବସି ପାଠ ପଢୁଛନ୍ତି ପିଲା ।

ତେବେ ଏପରି ଅସୁବିଧାରେ ପିଲା ପଢୁଥିବା ସ୍କୁଲଟି କାକଟପୁର ବ୍ଲକ ସୁହାଗପୁର ପଂଚାୟତର ବରଜି ସାହି ଗାଁର । ସ୍କୁଲଟି ଫୋନିର ମାଡରେ ଘାଇଲା ହୋଇ ପଡିଛି । ଯାହାକୁ ନେଇ ଚିନ୍ତାରେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏପରି ପ୍ରତିକୂଳ ପରିସ୍ଥିତିରେ ବି ହାର ମାନିନାହାନ୍ତି ପିଲା । ଘରଠାରୁ ଦୀର୍ଘ ୩ କିମି ବାଟ ଚାଲିଚାଲି ଯାଉଛନ୍ତି ବାତ୍ୟା ଆଶ୍ରୟ ସ୍ଥଳୀରେ ହୋଇଥିବା ଅସ୍ଥାୟୀ ସ୍କୁଲକୁ । ସେପଟେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା କାରଣରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଇଛି । ପୂର୍ବ ଅପେକ୍ଷା ସ୍କୁଲରେ ପିଲାଙ୍କ ଉପସ୍ଥାନ ମଧ୍ୟ କମି କମି ଯାଉଥିବା ଜଣାଯାଇଛି । ଏହି ବିଦ୍ୟ।।ଳୟଟି ବ୍ଲକ ଗ୍ରାଣ୍ଟ ହୋଇଥିବା କାରଣରୁ ସରକାର ଏହାର ପୁନରୁଦ୍ଧାର କରିବା ଲାଗି ଆନ୍ତରିକତା ଦେଖାଉନଥିବା ମଧ୍ୟ ଅଭିଯୋଗ ହେଉଛି ।

କିନ୍ତୁ ଏହାରି ମଧ୍ୟରେ ପାଠପଢା ଭଳି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ନିଷ୍ପାପ ପିଲା । ଏଠାରେ ପ୍ରଶ୍ନ ମଧ୍ୟ ଉଠୁଛି କି ପିଲାଙ୍କ ଦୋଷ ରହିଛି କେଉଁଠି? ସରକାର ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ନାରା ଦେଉଥିବା ବେଳେ ପାଠ ପଢିବା ପାଇଁ ଭିତ୍ତିଭୂମି ସଜାଡି ହୋଇନଥିବା କାରଣରୁ ତାହା କାର୍ଯ୍ୟକାରିତା ଉପରେ ଉଠିଛି ପ୍ରଶ୍ନ । କେବଳ ନାରା ନୁହେଁ ବରଂ କାମରେ କରି ଦେଖାଇବା ଲାଗି ସ୍ଥାନୀୟ ଲୋକ ଦାବୀ କରିବା ସହ ଯଥାଶୀଘ୍ର ସ୍କୁଲର ଭିତ୍ତିଭୂମି ସଜାଡିବା ସହ ପାଠ ପଢା ପୁଣି ଥରେ ଆରମ୍ଭ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।