ବାତ୍ୟା ପରେ ଏବେ ଘରସଜାଡ ବେଳ । ଏବେବି ଘର ଉପରେ ପଡିରହିଛି ବଡବଡ ଗଛ, ସମସ୍ୟା ଘେରରେ ବାତ୍ୟା ବିପନ୍ନ

ପ୍ରକୃତିର ପ୍ରଳୟରେ ଉଜୁଡି ଯାଇଥିବା ସଂସାରକୁ ସଜାଡିବା ବ୍ୟସ୍ତ ବାତ୍ୟା ବିପନ୍ନ

111

କନକ ବ୍ୟୁରୋ : ପ୍ରକୃତିର ପ୍ରଳୟରେ ଉଜୁଡି ଯାଇଥିବା ସଂସାରକୁ ସଜାଡିବା ବ୍ୟସ୍ତ ବାତ୍ୟା ବିପନ୍ନ । ଗଛ ପଡି ଭାଙ୍ଗି ଯାଇଥିବା ଘରକୁ ସଜାଡିବାର ବେଳ । ମନରେ ସାହାସ ଓ ଶରୀରରେ ବଳ ରଖି ଖଟିବାର ବେଳ । କାରଣ ହାତକୁ କାମ ଦେଇ ଚାଲିଯାଇଛି ସାମୁଦ୍ରିକ ଝଡ । ଫୋନି ଦ୍ୱାରା ପ୍ରଭାବିତ ଅଂଚଳରେ ଏବେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି ବାତ୍ୟା ବିପନ୍ନ ଓ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ । ପୁରୁଣା ସ୍ଥିତିକୁ ଫେରିବା ପାଇଁ ସମସ୍ତ ଜଣେ ଜଣେ ବିଶ୍ୱକର୍ମା ସାଜିଛନ୍ତି । କିଏ ଘର ଉପରେ ପଡିଥିବା ଗଛକୁ କାଟି ସଫା କରିବାରେ ଲାଗିଛି ତ ଆଉ କିଏ ନଦୀ ପାଣିକୁ ବିଶୋଧନ କରି ବିପନ୍ନଙ୍କ ଶୋଷ ମେଂଟାଇବା ପାଇଁ ରାତିଦିନ ଏକ କରିଦେଇଛନ୍ତି । ଏହାରି ଭିତରେ ନଜରକୁ ଆସିଛି ବାତ୍ୟା ସହାୟତା ବଂଟନ ବେଳେ ଦୁର୍ନୀତି ଅଭିଯୋଗ ।

୧୨ ଦିନ ପରେ ବି ତାଜା ଅଛି ଝଡ ତୋଫାନର ଚିତ୍ର । ଏବେ ବି ଘର ଉପରେ ପଡି ରହିଛି ବିରାଟ ଚାକୁଣ୍ଡା ଗଛ । କାକଟପୁର ମାଆ ମଙ୍ଗଳା ମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏକ ଘର ଉପରେ ଉପୁଡି ପଡିଛି ଦୀର୍ଘ ୧୯ ବର୍ଷର ପୁରୁଣା ଚାକୁଣ୍ଡା ଗଛ । ଯାହାକୁ କାଟି ସଫା କରିବା ପାଇଁ ଉଦ୍ୟମ କରାଯାଉଛି । ଫୋନି ଚନ୍ଦ୍ରଭାଗାରେ ମାଡ କରିବା ପରେ ପୁରୀ ଜିଲ୍ଲାରେ ତାଣ୍ଡବ କରିଥିଲା ପ୍ରକୃତି । କାକଟରୁରରେ ବହିଥିଲା ପ୍ରବଳ ପବନ ।

ମେ ୩ ତାରିଖ ଦିନ ବହିଥିବା ପବନର ବେଗ କେତେ ଜୋର ଥିଲା ତାହା ଆଜିର ଏହି ଦୃଶ୍ୟ ବୟାନ କରୁଛି । ସେଦିନର କଥା ମନେ ପଡିଲେ ଲୋକଙ୍କ ଲୋମ ଟାଙ୍କୁରୀ ଉଠୁଛି । ସ୍ଥାନାୟ ବାସିନ୍ଦା କହିବା ଅନୁସାରେ, ବାତ୍ୟା ପୂର୍ବ ଦିନ ଠାରୁ ଅସ୍ତରଙ୍ଗ ଉପକୂଳ ଓ କାକଟପୁରରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଧିରେ ଧିରେ ବର୍ଷା ବଢିବା ସହ ପବନର ବେଗ ମଧ୍ୟ ବଢିଥିଲା । ଆଉ ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଥିଲା ଏହି ଚାକୁଣ୍ଡା ଗଛ । ଗଛର ଚେରକୁ ଜାବୁଡି ଧରିବାରେ ଅସମର୍ଥ ପ୍ରକାଶ କରିଥିଲା ମାଟି । ଲୋକଙ୍କ ଆଖି ଆଗରେ ମୂଳରୁ ଉପୁଡି ପଡିଥିଲା ଚାକୁଣ୍ଡା ଗଛ । ଗଛଟି ଏକ ଘର ଉପରେ ପଡିଥିବା ବେଳେ ଘରେ ଥିବା ଲୋକ ଅଳ୍ପକେ ବର୍ତି ଯାଇଛନ୍ତି ।