ଆଦର୍ଶ ଆଚରଣବିଧିର ଖୋଲାଖୋଲି ଉଲଂଘନ : ଘରେ ଘରେ ବୁଲି ରାସନକାର୍ଡ ଯୋଗାଇ ଦେବାକୁ ପ୍ରଶାସନର ପ୍ରତିଶ୍ରୁତି

22

କନକ ବ୍ୟୁରୋ : ଆଦର୍ଶ ଆଚରଣବିଧିର ଖୋଲାଖୋଲି ଉଲଂଘନ କରୁଛି ପ୍ରଶାସନ । ଘରେ ଘରେ ବୁଲି ରାସନକାର୍ଡ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ଖୋଦ୍ ପ୍ରଶାସନିକ ଅଧିକାରୀ । ତାହା ପୁଣି ସରପଂଚ ପ୍ରାର୍ଥୀଙ୍କୁ ସାଥିରେ ଧରି । ଏମିତି ଏକ ଗୁରୁତର ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଝାଡଲିଙ୍ଗ ପଂଚାୟତରୁ ।

ଗତକାଲି ଅସ୍ତରଙ୍ଗ ବ୍ଲକରେ ଏବିଡିଓ ମନୋଜ କୁମାର ବେହେରା, ଯୋଗାଣ ଅଧିକାରୀ ଅକ୍ଷୟ ସେଠୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ସନୱାର ଅହମଦଙ୍କୁ ଅଟକ ରଖିଥିଲେ ନାନପୁର ଗ୍ରାମବାସୀ । ଅପରାହ୍ନରେ ଏହି ପ୍ରଶାସନିକ ଅଧିକାରୀମାନେ ଅସ୍ତରଙ୍ଗ ତହସିଲଦାରଙ୍କ ଗାଡିରେ ଆସି ଘରକୁ ଘର ବୁଲି ରାସନ୍ କାର୍ଡ ସର୍ଭେ କରୁଥିଲେ ।

ଆଉ ସାଥିରେ ଥିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଜଣେ ସରପଂଚ ପ୍ରାର୍ଥିନୀ । ଘଟଣା ଜଣା ପଡିବା ପରେ ଗାଡି ସହ ସରକାରୀ ଅଧିକାରୀମାନଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ଗ୍ରାମବାସୀ । ଜିଲ୍ଲାପାଳ ନ ଆସିଲେ ଏହି ଅଧିକାରୀମାନଙ୍କୁ ଛାଡିବେ ନାହିଁ ବୋଲି ଅଡି ବସିଥିଲେ ।

ହେଲେ ପରେ ନାନପୁର ଗାଁର ଅନ୍ୟ ଏକ ଗୋଷ୍ଠୀର କିଛି ଲୋକ ଆସି ଗଣ୍ଡଗୋଳ କରିବା ସହ ସଂପୃକ୍ତ ଅଧିକାରୀମାନଙ୍କୁ ଗ୍ରାମବାସୀଙ୍କ ଠାରୁ ଛଡାଇ ନେଇଥିଲେ । ଆଉ ସରକାରୀ ଅଧିକାରୀମାନଙ୍କ ଏପରି କାର୍ଯ୍ୟକଳାପ ସଂପର୍କରେ ନିର୍ବାଚନ କମିଶନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-