ଦେବୀ ନଦୀରେ ବିଜୁ ସେତୁ ହେବ ! ଡଙ୍ଗାରେ ନୁହେଁ, ପୋଲରେ ପାର ହେବାର ସ୍ୱପ୍ନ ଦେଖୁଛନ୍ତି ପୁରୀ ଅସ୍ତରଙ୍ଗ ବ୍ଲକ ତାଳଦା ବ୍ଲକର ଲୋକେ

58

କନକ ବ୍ୟୁରୋ : ଦେବୀ ନଦୀରେ ବିଜୁ ସେତୁ ହେବ । ଦ୍ୱିପାଂଚଳକୁ ଗମନାଗମନର ସୁବିଧା ମିଳିବ । ଡଙ୍ଗା ନୁହେଁ, ପୋଲ ସାହାଯ୍ୟରେ ନଦୀ ପାର ହେବାର ସ୍ୱପ୍ନ ଦେଖୁଛନ୍ତି ଦେବୀନଦୀ ଘେରାରେ ଥିବା ଲୋକ । ହେଲେ ସେମାନଙ୍କ ସ୍ୱପ୍ନ ଏବେ ଅଧାରେ ପଡିଛି । ୪ ବର୍ଷ ହେବ ଅଧାରେ ସ୍ୱପ୍ନ । ସ୍ୱପ୍ନ ପୂରଣ ପାଇଁ ପଦ୍ମ ଘୁଂଚି ଘୁଂଚି ଯାଉଛି । ଅଧାରେ ପଡିଛି ପୋଲ ନିର୍ମାଣ ।

ସ୍ଥାୟୀ ପୋଲର ଗମନାଗମନ ପାଇଁ ଆଶି ରଖିଥିବା ଲୋକ ନିଇତି ଡଙ୍ଗା ସାହାଯ୍ୟରେ ଦେବୀ ନଦୀ ପାର ହେଉଛନ୍ତି । ଏହି ଘଟଣା କୌଣସି ମାଓ ଅଧୂଷିତ ଅଂଚଳର ନୁହେଁ । ଏପରି କିଛି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ବିଜୁ ସେତୁର । ପୋଲ କାମ ଅଧାରେ ପକାଇ ଠିକାଦାର ପାର ହୋଇଥିବା ବେଳେ ଦେବୀନଦୀ ଘେରା ଦ୍ୱିପାଂଚଳରେ ରହୁଥିବା ୫ ହଜାର ଲୋକ ପ୍ରତିଦିନ ଡଙ୍ଗା ସାହାଯ୍ୟରେ ଯା’ଆସ କରୁଛନ୍ତି ।

ତାଳଦା ଦ୍ୱିପାଂଚଳକୁ ସଂଯୋଗ ପାଇଁ ୨୦୧୩ରୁ ବିଜୁ ସେତୁ ନିର୍ମାଣ ହେଉଛି । ଏଥିପାଇଁ ୪୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ପୋଲ ପାଇଁ ୨ ଏକର ଜମି ଅଧିଗ୍ରହଣ କରାଯାଇଛି । ପୋଲ ପାଇଁ ୧୮ଟି ପିଲାର ଆବଶ୍ୟକ ଥିବା ବେଳେ ଏଥିରୁ ୨୨ଟିର କାମ ଶେଷ ହୋଇଛି । ସେଥିରୁ ୨ଟି ନମ୍ନମାନର କାମ ଯୋଗୁଁ ଦେବୀ ଗର୍ଭରେ ଲୀନ ହୋଇ ଯାଇଛି ।

ବାକି ୬ଟି ନିର୍ମାଣଧିନ ଅବସ୍ଥାରେ ରହିଥିବା ବେଳେ କାମ ଛାଡି ପଳାଇ ଯାଇଛି ଠିକାଦାର । ପୋଲ ପାଇଁ ଜମି ଦେଇଥିବା ୮ଟି ପରିବାରକୁ ଆଜି ଯାଏଁ କ୍ଷତିପୂରଣ ମିଳିନାହିଁ । ତେବେ ଜମି ହରାଇଥିବା ବ୍ୟକ୍ତି କ୍ଷତିପୂରଣ ଦାବିରେ କରିବାରୁ ଠିକାଦାର କମ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ପୋଲ କାମ ଅଧାରେ ପଡିଥିବା ବେଳେ ନିମାପଡା ଗ୍ରାମ୍ୟ ଉନ୍ନୟମ ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କ୍ଷେତ୍ର ପରିଦର୍ଶନ କରି ଜମିହରାଙ୍କ ସହ ଆଲୋଚନା କରିଛନ୍ତି ।

ଖୁବଶୀଘ୍ର କ୍ଷତିପୁରଣ ଦେବା ଲାଗି ପ୍ରତିଶ୍ରୁତି ଦେଇଛି । ହେଲେ ଏବେ ବି ପୋଲ ନିର୍ମାଣ କାମରୁ ନେଇ ସନ୍ଦେହରେ ତାଳଦା ବାସିନ୍ଦା । ବିକାଶର ନାରା ଦେଉଥିବା ସରକାର ଗ୍ରାମଂଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ତାର ସଫଳ ରୂପାୟନ ହୋଇପାରୁନାହିଁ । ଯାହାର ପ୍ରମାଣ ହେଉଛି ଦେବୀ ନଦୀରେ ଡଙ୍ଗା ସାହାଯ୍ରେ ତାଳଦାକୁ ସଂଯୋଗୀକରଣ ।