୩ ଡିସିମିଲ ଜାଗାକୁ ନେଇ ଅସ୍ତରଙ୍ଗରେ ମହାଭାରତ ! ଜଣଙ୍କର ଗଲା ଜୀବନ, ଆହତ ଅବସ୍ଥାରେ ସାରା ପରିବାରର ଚିକିତ୍ସା ଜାରି

40

କନକ ବ୍ୟୁରୋ :  ଜମିର ମୋହରେ ରକ୍ତର ସଂପର୍କକୁ ଭୁଲିଗଲା ଭାଇ । ମାତ୍ର ୩ ଡିସିମିଲ ଜମି ପାଇଁ ଭାଇର ଜୀବନ ନେଲା ଆଉ ଗୋଟିଏ ଭାଇ । ଅସ୍ତରଙ୍ଗ କୁଷ୍ଟା ଗାଁରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଯେଉଁଥିରେ ଜଣକ ଜୀବନ ଯାଇଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଉ ସବୁଠାରୁ ବଡ଼ା କଥା ହେଲା ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ବି ଭୁଲିଗଲା । ଯାହାଫଳରେ ଘଟିଗଲା ଏକ ରକ୍ତାକ୍ତ ସଂଘର୍ଷ ।

ପ୍ରମୋଦ ସ୍ୱାଇଁ ଏବଂ ପ୍ରବୀର ସ୍ୱାଇଁ । ସଂପର୍କରେ ବଡପୁଅ ଏବଂ ଦାଦା ପୁଅ । ପୂର୍ବପୁରୁଷଙ୍କ ୩ ଡିସିମିଲ ଜାଗାକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘ ୩୦ ବର୍ଷ ଥରି ବିବାଦ ଲାଗିରହିଥିଲା । ଆଉ ବିବାଦ ତୀବ୍ରତର ହୋଇଥିଲା, ଯେତେବେଳେ ଏହି ଜାଗାରେ ପ୍ରବୀର ସ୍ୱାଇଁ ଇନ୍ଦିରା ଆବାସ୍ ଯୋଜନାରେ ଘରଟିଏ ନିର୍ମାଣ କରିବା ଆରମ୍ଭ କରିଦେଇଥିଲେ । ବାଧା ଦେଇଥିଲେ ପ୍ରମୋଦ ସ୍ୱାଇଁଙ୍କ ପରିବାର ।

ତହସିଲ ଅଫିସରୁ ଜିଲ୍ଲାପାଳ ଅଫିସର । ଥାନାରୁ ଏସ୍ପି ଅଫିସ । ଏହି ଜମି ବିବାଦ ତୁଟାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ପ୍ରବୀର । ତହସିଲଦାର ଆସି ଜାଗା ବି ଚିହ୍ନଟ କରିଥିଲେ । ହେଲେ ଯେତେବେଳେ ସବୁ ଉଦ୍ୟମ ଫେଲ ମାରିଥିଲା, ବାଧ୍ୟ ହୋଇ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ । ହେଲେ ସେତେବେଳେ ଦିଆ ଯାଇଥିବା ପ୍ରତିଶ୍ରୁତିକୁ ପୁରା ଭୁଲି ଯାଇଥିଲା ପୁଲିସ୍ ପ୍ରଶାସନ ।

ଆଉ ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଘର ନିର୍ମାଣକୁ ରୋକିବାକୁ ଯାଇ ସଂଘବଦ୍ଧ ଆକ୍ରମଣ କଲେ ପ୍ରମୋଦ ସ୍ୱାଇଁଙ୍କ ପରିବାର । ଯେଉଁଥିରେ ପ୍ରବୀର ସ୍ୱାଇଁ ପ୍ରାଣ ହରାଇଥିବା ବେଳେ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ପ୍ରେମାଦ ସ୍ୱାଇଁଙ୍କ ପରିବାର ପକ୍ଷରୁ ମଧ୍ୟ ୩ ଜଣ ସମାନ୍ୟ ଆହତ ହୋଇଛି । ଏହି ଘଟଣାକୁ ନେଇ ଏବେ କାଟକଟପୁର କୁଷ୍ଟି ଗାଁରେ ଲାଗି ରହିଛି ଉତ୍ତେଜନା ।