ଅଦିନିଆ ବର୍ଷା ଧୋଇନେଲା ଫସଲ ! ପୁରୀର ନଟରା ଗାଁରେ ଉଜୁଡି ଗଲା ଏକର ଏକର ଧାନ

46

କନକ ବ୍ୟୁରୋ : ଅଦିନିଆ ବର୍ଷା ଉଜାଡି ଦେଲା ଅମଳ । ଅସ୍ତରଙ୍ଗ ବ୍ଲକ ନଟରା ଗାଁରେ ଉଜୁଡି ଯାଇଛି ଏକର ଏକର ଧାନ ଫସଲ । ଏବେ ଉଜୁଡା କ୍ଷେତକୁ ଦେଖି ହତାଶ ହୋଇପଡିଛି ଚାଷୀ । ବର୍ଷା ପାଣିରେ ସବୁ ଧାନ ଗଛ ଶଢିଯିବା ସହ ଗଜା ହୋଇଯାଇଛି । ପାଣିରେ ମିଶିଗଲା ସବୁ ପରିଶ୍ରମ । ଲଘୁଚାପ ବର୍ଷା ପରେ ପାଣିରେ ସବୁ ଧାନ ଗଛ ସଢିଯିବା ସହ ଗଜା ହୋଇଗଲାଣି ।  ଉଜୁଡା କ୍ଷେତକୁ ଦେଖି ଚାଷୀର ହୋସ୍ ଉଡିଯାଇଛି । ବର୍ଷା ପରେ କିଛି ଧାନ ସଂଗ୍ରହ ପାଇଁ ବିଲକୁ ଯାଇଥିବା ଚାଷୀ ଶତୃଘ୍ନ ପରିଡା ଉଜୁଡା କ୍ଷେତକୁ ଦେଖି ହତାଶ ହୋଇ ହୃଦଘାତର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଅଦିନିଆ ଓ ଲଗାଣ ବର୍ଷାରେ ଫସଲ ଉଜୁଡି ଯିବା ପରେ ଏବେ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି ସମସ୍ତଙ୍କୁ । କେବଳ ଶତୃଘ୍ନ ନୁହଁନ୍ତି ନଟରା ଗାଁରେ ପ୍ରାୟ ୫୦ଜଣ ଚାଷୀ ୮୦ହେକ୍ଟର ଚାଷ ଜମିରେ କରିଥିବା ଅମଳ ନଷ୍ଟ ହୋଇଯାଇଛି । ସେପଟେ ୪୦ଟି ଗାଁର ବର୍ଷା ପାଣି ଏକ କଲଭର୍ଟ ଦେଇ ନିଷ୍କାସିତ ହୋଇଥାଏ । ଏହି ପ୍ରକ୍ରିୟା ମଧ୍ୟ ଠିକଭାବେ ଚାଲୁନଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ଏକର ଏକର ଚାଷ ଜମିରେ ଏବେବି ପାଣି ଜମିଥିବା ଯୋଗୁଁ ଧାନ ନଷ୍ଟ ହୋଇଯାଇଛି । ଲଘୁଚାପ ବର୍ଷାରେ ଫସଲ ନଷ୍ଟ ହେବା ପରେ ଏବେ ସରକାରୀ ସହାୟତାକୁ ଅପେକ୍ଷ କରିଛନ୍ତି ଚାଷୀ ।