ଅସ୍ତରଙ୍ଗରେ କାଳବୈଶାଖୀ ତାଣ୍ଡବ ! ବର୍ଷା ସହ ପ୍ରବଳ ବେଗରେ ବହିଲା ପବନ, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

56

କନକ ବ୍ୟୁରୋ : କାଳବୈଶାଖୀର କରାଳ ରୂପ । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହିଲା ପବନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ବିଳମ୍ବିତ ରାତିରେ ପ୍ରାୟ ୩ ଘଂଟା ଧରି ଜାରି ରହିଥିଲା କାଳବୈଶାଖୀ ତାଣ୍ଡବ । ବିଜୁଳି, ଘଡଘଡି ସାଙ୍ଗକୁ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ମଧ୍ୟ ବହିଥିଲା । ଫଳରେ ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଅସ୍ତରଙ୍ଗ-କାକଟପୁର ରାସ୍ତାର ଦହିଖିଆ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଂଟ ମଧ୍ୟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଆଜି ମଧ୍ୟ ଆକାଶ ମେଘାଛନ୍ନ ରହିବା ସହ ପବନ ବହିବା ଜାରି ରହିଛି ।

କାଳବୈଶାଖୀ ତାଣ୍ଡବ । ପ୍ରବଳ ବେଗରେ ଝଡତୋଫାନ, ତାସାଙ୍ଗକୁ ତୁହାକୁ ତୁହା ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ଯାଇଥିଲା । ଅଦିନିଆ ବର୍ଷା ଯୋଗୁଁ କଟକ ଜିଲ୍ଲା ବାଙ୍କିର ପରିବା ଫସଲରେ ମଧ୍ୟ ପାଣି ପଶିଯାଇଛି । ଫଳରେ ଏବେ ଫସଲ ପଚିଯିବାର ଆଶଙ୍କା କରି ଚିନ୍ତାରେ ପଡିଛି ଚାଷୀ ।