ଅସ୍ତରଙ୍ଗ ଦେବୀ ମୁହାଣରେ ଯାନ୍ତ୍ରିକ ତୁଟି ଯୋଗୁଁ ବୁଡିଲା ଟ୍ରଲର : ଅଳ୍ପକେ ବର୍ତ୍ତିଲେ ସାତ କର୍ମଚାରୀ, କ୍ୟାମେରା ଆଗରେ ବଖାଣିଲେ ସମୁଦ୍ର ଭିତରେ କଟିଥିବା କାଳ ରାତିର କାହାଣୀ

625

କନକ ବ୍ୟୁରୋ : ସମୁଦ୍ର ମଝିରେ ବୁଡିଗଲା ଟ୍ରଲର । ଆଉ କ୍ୟାମେରା ଆଗରେ ଛାତିଥରା ଦୃଶ୍ୟ ବଖାଣିଲେ ଉଦ୍ଧାର ପାଇଥିବା କର୍ମଚାରୀ । ଘଟଣା ଘଟିଛି ଅସ୍ତରଙ୍ଗରେ । ଅସ୍ତରଙ୍ଗ-୨ ନାମକ ମାଛଧରା ଟ୍ରଲରରେ ଟ୍ରଲର କର୍ମଚାରୀ ସମୁଦ୍ରରୁ ମାଛଧରି ଫେରୁଥିଲେ । ଦେବୀମୁହାଁଣ ଦେଇ ଫେରୁଥିବାବେଳେ ଟ୍ରଲର ଭିତରେ ପାଣି ପଶିବାକୁ ଲାଗିଲା । ଟ୍ରଲର ଚାଳକ ସହ କର୍ମଚାରୀ ପାଣିକୁ ଅଟକାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇନଥିଲେ ।

ସମୁଦ୍ର ଢେଉ ମାଡପରେ ମାଡ କରିଥିଲା । ଆଉ ଟ୍ରଲର ଧିରେ ଧିରେ ବୁଡିବାକୁ ଲାଗିଲା । ସମସ୍ତେ ଭାବିଥିଲେ ମୃତ୍ୟୁ ସୁନିଶ୍ଚିତ ବୋଲି । ଉପାୟ ନ ପାଇ ଟ୍ରଲର କର୍ମଚାରୀ ସାମୁଦ୍ରିକ ଥାନା ସହ ଟ୍ରଲର ମାଲିକଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ କେହି ଶୁଣିନଥିଲେ । ଶେଷରେ ଡିଜେଲ କପଡାରେ ନିଆ ଲଗାଇ ଉପରକୁ ଟେକି ଧରିଥିଲେ । ସମୁଦ୍ର ମଝିରେ ନିଆଁ ହୁଳା ଜଳୁଥିବା ଦେଖି ତାଙ୍କ ପାଖକୁ ଦେବଦୂତ ସାଜି କିଛି ମାଛ ଧରାଳି ପହଂଚିଥିଲେ । ଟ୍ରଲରର ଅଶୀ ଭାଗ ବୁଡିଯାଇଥିଲା ।

ଦେବୀ ମୁହାଁଣରେ ଦୀର୍ଘ ୫ ଘଂଟା ଧରି ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ଏହି ସାତଜଣ ଟ୍ରଲର କର୍ମଚାରୀ କେବେ ବି ଭାବିନଥିଲେ ସେମାନେ ବଂଚି କୂଳକୁ ଆସିବେ ଓ ନିଜ ଆତ୍ମୀୟ ସ୍ୱଜନଙ୍କୁ ଭେଟିବେ । ସମୁଦ୍ରରୁ ଉଦ୍ଧାର ହେବା ପରେ ଏହି ଟ୍ରଲର କର୍ମଚାରୀ ବଖାଣିଛନ୍ତି ସେହି ଛାତିଥରା କାହାଣୀ ।