କେରଳକୁ ଓଡିଶାର ଚିଠି : କେରଳ ବନ୍ୟାରେ ପ୍ରଭାବିତ ଓଡିଆଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ

38

କନକ ବ୍ୟୁରୋ: କେରଳକୁ ଓଡିଶାର ଚିଠି । କେରଳ ବନ୍ୟାରେ ପ୍ରଭାବିତ ଓଡିଆଙ୍କ ପାଇଁ ଚିଠି ଲେଖିଲେ ଓଡିଶା ସରକାର । କେରଳ ଅତିରିକ୍ତ ଶାସନ ସଚିବ ତାଥା ରିଲିଫ କମିଶନରଙ୍କୁ ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଚିଠି ଲେଖାଯାଇଛି । ବନ୍ୟା ପ୍ରଭାବିତ ଓଡିଆ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଚିଠି ଦ୍ୱାରା ଅନୁରୋଧ କରାଯାଇଛି । ଏହାସହ ୧୮୭ ଜଣ ଓଡିଆ ଲୋକଙ୍କର ଏକ ତାଲିକା ଏବଂ ଫୋନ ନମ୍ବର ମଧ୍ୟ କେରଳ ସରକାରଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ପାଇଁ କେରଳ ସରକାରଙ୍କୁ ଅନୁରୋଧ କରାଯାଇଛି ।

ସେପଟେ ଶତାବ୍ଦୀର ସବୁଠାରୁ ପ୍ରଳୟଙ୍କାର, ହୃଦୟବିଦାରକ ବିପର୍ୟ୍ୟୟ କେରଳକୁ ପୁରା ଛାରଖାର କରିଦେଇଛି । ପ୍ରଳୟଙ୍କାରୀ ବର୍ଷା ଓ ବନ୍ୟା କେରଳ ବାସୀ ଭାଙ୍ଗିପଡିଛନ୍ତି । ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ପାଣି ଘେରରେ। ପାଖାପାଖି ୩୫୦ ଲୋକଙ୍କ ଜୀବନ ଯାଇଥବା ସୂଚନା ମିଳିଛି । ଆହୁରି ଅନେକ ଲୋକ ମାଟି ତଳେ ଦବି ରହିଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ। ଲକ୍ଷ ଲକ୍ଷ ଲୋକ ବନ୍ୟାପାଣିରେ ଫସିଛନ୍ତି। ହଜାର ହଜାର ଘର ଭାଙ୍ଗିଯାଇଛି। ଘର ଛାତ ଓ ଗଛରେ ଆଶ୍ରୟ ନେଇଥିବା ହଜାର ହଜାର ଲୋକ ସହାୟତା ପାଇଁ ଚିତ୍କାର କରୁଛନ୍ତି। ବର୍ଷା ଓ ବନ୍ୟା ଯୋଗୁଁ ରାସ୍ତା ଧୋଇ ହୋଇଯାଇଛି। ରେଳ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଗମନାଗମନ ଠପ୍ ଯୋଗୁଁ ଲୋକଙ୍କୁ ଖାଦ୍ୟ ଓ ପିଇବାକୁ ପାଣି ମଳୁନାହିଁ। ଔଷଧର ମଧ୍ୟ ଘୋର ଅଭାବ ଦେଖାଦେଇଛି। ଟେଲି ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଏବଂ ରାଜ୍ୟର ଅର୍ଧାଧିକ ଅଞ୍ଚଳ ଅନ୍ଧାରରେ ରହିଛି। ବନ୍ୟା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ବର୍ଷା ଟିକେ କମିଲେ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର ହେଉଥିବା ବେଳେ ପୁଣିଥରେ ବର୍ଷା ଆସି ବିପନ୍ନଙ୍କ ଉପରେ ଦାଉ ସାଧୁଛି। ଶତାବ୍ଦୀର ଏହା ସବୁଠୁ ବଡ଼ ବନ୍ୟା ହୋଇଥିବା ବେଳେ ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୫୦ ଟପିଛି।