ରାଜନୀତିରେ ଚିଟଫଣ୍ଡ ନିଆଁ : ନରସିଂହଙ୍କ କ୍ଷମା ଦାବି କଲେ ସରକାର

29

ଭୁବନେଶ୍ୱର ବ୍ୟରୋ, କନକ ନ୍ୟୁଜ୍ : ବିଜେଡି ବନାମ ବିରୋଧୀ । କିଏ କାହାକୁ ଛାଡିବାକୁ ନାରାଜ୍ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହରେ ବିଭ୍ରାନ୍ତିକର ତଥ୍ୟ ରଖି ଭୁଲ କରିଛନ୍ତି , ସେଥିପାଇଁ ସେ କ୍ଷମା ମାଗନ୍ତୁ । ସେପଟେ କଂଗ୍ରେସ୍ ଓ ବିଜେପିର ଦାବି, ବିଜେଡିର ପାର୍ଟି ଏକାଉଂଟରେ ଜମା ହୋଇଥିବା ୮ କୋଟିର ହିସାବ ଦିଅନ୍ତୁ । ହୋହାଲ୍ଲା, ନାରାବାଜି । ନାଚାର ହୋଇ ପଡୁଛନ୍ତି ବାଚସ୍ପତି । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଗୃହକୁ ବାରମ୍ବାର କରୁଛନ୍ତି ମୁଲତବୀ ।

ସେପଟେ କଂଗ୍ରେସର ମୁହଁ ବନ୍ଦ କରିବାକୁ ଆଜି ବିଜେଡି ଦେଇଛି ୮ କୋଟିର ହିସାବ । ମନ୍ତ୍ରୀ ଅରୁଣ ସାହୁ ପୁରା ଦସ୍ତାବିଜ ସହ ଦେଖାଇଛନ୍ତି କେବେ ଓ କେଉଁଠୁ ଆସିଥିଲା ପାର୍ଟି ଏଳାଉଂଟକୁ ଟଙ୍କା । ସେ କହିଛନ୍ତି , ନିର୍ବାଚନୀ ଡୋନେସନ୍ ହିସାବରେ ଆଦିତ୍ୟ ବିର୍ଲା ଗ୍ରୁପର ଇଲୋକ୍ଟ୍ରାଲ୍ ଟ୍ରଷ୍ଟ ଦଳକୁ ଏହି ଟଙ୍କା ଦେଇଥିଲା । ବ୍ୟାଙ୍କର ନାଁ ଓ ଚେକ୍ ନମ୍ବର ସହ ଆଜି ବିଜେଡି ରଖିଛି ଏହି ତଥ୍ୟ । ଏପରିକି ନିର୍ବାଚନ କମିଶନଙ୍କୁ ଏହି ତଥ୍ୟ ଦିଆଯାଇଥିବା ଅରୁଣ କହିଛନ୍ତି ।

ଅନ୍ୟପକ୍ଷରେ ସରକାରୀ ଦଳକୁ ଘେରିବାକୁ ଆଜି କଂଗ୍ରେସ୍ କରିଛି ନୂଆ ରଣନୀତି । ଶାସକ ଦଳର ଇସାରାରେ ଚାଲୁଛନ୍ତି ବାଚସ୍ପତି । ବିଧାୟକ କଥା ଛାଡନ୍ତୁ , ବିରୋଧୀ ଦଳ ନେତାଙ୍କୁ ବି ପ୍ରଶ୍ନ ପଚାରିବାକୁ ସୁଯୋଗ ଦେଉ ନାହାଁନ୍ତି । ଯାହା ଫଳରେ ବିରୋଧୀ ଦଳ ନେତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେପଟେ ଚିଟଫଣ୍ଡ ଦୁର୍ନୀତି ସଂପୃକ୍ତି ଅଭିଯୋଗରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ କଂଗ୍ରେସ ଟାର୍ଗେଟ କରିଥିବା ବେଳେ ଏବେ ବିଜେପିର ଟାର୍ଗେଟକୁ ଆସିଛନ୍ତି ଆଇନ ମନ୍ତ୍ରୀ ଅରୁଣ ସାହୁ । ଦଳର ଅଭିଯୋଗ , ଚିଟଫଣ୍ଡ ଦଲାଲଙ୍କ ପ୍ରାୟେଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଯୁବମନ୍ତ୍ରୀ ଗ୍ରହଣ କରିଛନ୍ତି ୟୁଥ୍ ଆଇକନ୍ ଆୱାର୍ଡ । ଏପରିକି ଏହି କାର୍ଯ୍ୟକ୍ରମରେ ଦଳର ଅନେକ ବରିଷ୍ଠ ନେତା ବି ଉପସ୍ଥିତ ରହିଛନ୍ତି । ତେଣୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ଚିଟଫଣ୍ଡ ଦୁର୍ନୀତି ସହ ଏମାନେ ସଂପୃକ୍ତ ।