ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନ ଆରମ୍ଭ

12

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନ। ଜିଏସଟି ବିଲକୁ ଅନୁମୋଦନ କରିବା ପାଇଁ ସରକାର ଏହି ଅଧିବେଶନ ଡାକିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଏକ ପ୍ରସ୍ତାବ ଆଗତ କରିବେ । ବିଧାନସଭା ସ୍ୱତନ୍ତ୍ର ଅଧିବେଶ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଜିଏସଟି ବିଲକୁ ନେଇ ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନରେ ଦଳର ଆଭିମୁଖ୍ୟ କଣ ରହିବ ସେ ବାବଦରେ ବିଧାୟକ ଦଳ ବୈଠକରେ ଆଲୋଚନା କରାଯାଇଛି ।

ସମସ୍ତଙ୍କ ସହମତିରେ ଜିଏସଟି ବିଲ ପାସ ପାଇଁ ଆଲୋଚନା କରାଯାଇଥିଲା ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଦଳର ସୁପ୍ରିମୋ । ଜିଏସଟି ବିଲ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଛି । ତେବେ ସମ୍ଭିଧାନ ସଂଶୋଧନ ବିଲ ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅତିକମରେ ୫୦ ପ୍ରତିଶତ ରାଜ୍ୟଙ୍କ ସହମତି ଆବଶ୍ୟକ । ଏଥିପାଇଁ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଜିଏସଟି ବିଲକୁ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥନ କରିଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ରହିଛି । ତେଣୁ ଓଡିଶା ବିଧାନସଭାରେ ଏହି ବିଲ୍ ଗୃହୀତ ହେବାରେ କୌଣସି ଅସୁବିଧା ନାହିଁ ।