ପ୍ରଥମ ଥର ପାଇଁ ବିଧାନସଭା ବାହାରେ ବସିଲା ଅଧିବେଶନ । ଲୋକସେବା ଭବନରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ପାରିତ ହେଲା ୧ ଲକ୍ଷ ୫୫ ହଜାର ବ୍ୟୟ ମଞ୍ଜୁରୀ ବିଲ୍ ।

330

କନକ ବ୍ୟୁରୋ : ପ୍ରଥମଥର ପାଇଁ ଲୋକସେବା ଭବନରେ ବସିଛି ବିଧାନସଭାର ଅଧିବେଶନ । ଏହି ସ୍ୱତନ୍ତ୍ର ଅଧିବେଶନରେ ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଛି । କେବଳ ଏହି ବ୍ୟୟ ମଞ୍ଜୁରୀ ବିଲ ପାରିତ କରିବା ପାଇଁ ବସିଥିଲା ସ୍ୱତନ୍ତ୍ର ଅଧିବେଶନ । ସବୁ ଦଳର ୩୦ ପ୍ରତିଶତ ସଦସ୍ୟଙ୍କ ଉପସ୍ଥିତିରେ ୧ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି ।

ଲୋକସେବା ଭବନରେ ବିଧାନସଭା ଅଧିବେଶନ । ଆଉ ଏହି ଅଧିବେଶନରେ ଭାଗ ନେବା ପାଇଁ ମୁହଁରେ ମାସ୍କ ପିନ୍ଧି ଆସିଥିଲେ ବିଧାୟକ, ମନ୍ତ୍ରୀ । ଏପରିକି କିଛି ବିଧାୟକ ଚାଲି ଚାଲି ଆସି ଲୋକସେବା ଭବନରେ ପହଞ୍ଚିଥିଲେ । ଆଉ ଲୋକସେବା ଭବନରେ ପଶିବା ପୂର୍ବରୁ ଭଲ ଭାବେ ସାନିଟାଇଜରରେ ହାତକୁ ପରିଷ୍କାର କରି ମୁହଁରେ ମାସ୍କ ପିନ୍ଧିଥିଲେ ବିଧାୟକ ଓ ମନ୍ତ୍ରୀ ମାନେ । ଏପରିକି ଅଧିବେଶନ ସମୟରେ ସାମାଜିକ ଦୂରତ୍ୱର ନିୟମକୁ ବେଶ କଡାକଡି ଭାବେ ପାଳନ କରାଯାଇଛି । ବିଧାୟକମାନେ ପରସ୍ପରଠାରୁ ୧ରୁ ଦେଢ ମିଟର ଦୂରରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବାରୁ ବିଧାନସଭା କକ୍ଷ ବଦଳରେ ଲୋକସେବା ଭବନରେ ବସିଥିଲା ଏହି ଅଧିବେଶନ ।

ଗହଳିକୁ ଦୃଷ୍ଟିରେ ରଖି ଆଜିର ଅଧିବେଶନରେ ସବୁ ଦଳର ୩୦ ପ୍ରତିଶତ ସଦସ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିଲା । ଏବଂ ଏହାକୁ ଅତି କଡାକଡି ଭାବେ ପାଳନ ମଧ୍ୟ କରାଯାଇଥିଲା । ସ୍ୱତନ୍ତ୍ର ଅଧିବେଶନରେ ପାରିତ ହୋଇଥିଲା ଏକ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ । ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ବିଧାନସଭାର ଅନୁମୋଦନ ଆବଶ୍ୟକ । ଏହି ଅନୁମୋଦନ ପରେ ହିଁ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିପାରିବେ । କରୋନା ସଂକ୍ରମଣ ଭଳି ପରିସ୍ଥିତି ଭିତରେ ଏଭଳି ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକତା ପଡିଥିଲା ।