ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ ! ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ

60

କନକ ବ୍ୟୁରୋ : ଦିବଙ୍ଗତ ସଦସ୍ୟ ଓ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ । ଆଜି ଗୃହରେ ଶେଷ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଏସସି ଜମିର । ରାଜ୍ୟ ସରକାରଙ୍କ ସଫଳତା କାହାଣୀ କହିଛନ୍ତି ରାଜ୍ୟପାଳ । ଓଡିଆ ଭାଷାକୁ ସରକାରୀ ମାନ୍ୟତା ମିଳିବାରେ ସରକାର କାର୍ଯ୍ୟ କରିଛନ୍ତି, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସଫଳ ହୋଇଛି, କୃଷକଙ୍କ ପାଇଁ ଇ-ଟ୍ରେଡିଙ୍ଗ୍ ବ୍ୟବସ୍ଥା ହୋଇଛି । ରାଜ୍ୟରେ ସବୁ ବର୍ଗର ବିକାଶ ପାଇଁ ସରକାର ସାମଗ୍ରିକ ଭାବେ କାମ କରୁଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।

ତେବେ ରାଜ୍ୟାପଳଙ୍କ ଅଭିଭାଷଣ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆସନରୁ ଉଠି ଏହାକୁ ବିରୋଧ କରିଥିଲେ । ଚାଷୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ରାଜ୍ୟପାଳଙ୍କ ଅଭିଭାଷଣରେ ନଥିବା ଅଭିଯୋଗ କରି ଏହାକୁ ବିରୋଧ କରିଥିଲେ । ସେହିପରି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ କରିଛି କଂଗ୍ରେସ । ଏପରିକି ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବାବେଳେ ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି । ଅର୍ନ୍ତକନ୍ଦଳକୁ ନେଇ କଂଗ୍ରେସ ଦୁର୍ବଳ ହୋଇପଡୁଥିବା ଚର୍ଚ୍ଚା ଭିତରେ ଆଜି ବେଶ୍ ଆକ୍ରାମକ ନଜର ଆସିଛିି ଦଳ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆସନରୁ ଉଠିଯିବା ପରେ ଗୋଟିଗୋଟି କରି ସମସ୍ତ କଂଗ୍ରେସ ବିଧାୟକ ବିଧାନସଭା ଗୃହ ଛାଡିଥିଲେ ।

ସେପଟେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡି ଟିକେଟରେ ବିଜେପୁରରୁ ଜିତିବା ପରେ ପହଁଚିଛନ୍ତି ବିଧାନସଭାରେ । ବଜେଟ୍ ଅଧିବେଶନରେ ପ୍ରଥମ ଥର ପାଇଁ ତାଙ୍କୁ ବିଧାୟକ ୱେଲରେ ଦେଖିବାକୁ ମିଳିଛି । ଅନ୍ୟ ବିଜେଡି ବିଧାୟକଙ୍କ ଗହଣରେ ବସିଥିଲେ ଏହି ନବନିର୍ବାଚିତା ବିଧାୟିକା । ବିଜେପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ରୀତା ସାହୁ । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ପ୍ରାୟ ୪୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ରୀତା । ରୀତାଂକ ସ୍ୱାମୀ ସୁବଳ ସାହୁ ତିନି ତିନ ଥର କଂଗ୍ରେସରୁ ବିଧାୟକ ହୋଇଥିଲେ । ହେଲେ ସୁବଳ ସାହୁଙ୍କ ପରଲୋକ ପରେ ଖାଲି ପଡ଼ିଥିଲା ବିଜେପୁର ବିଧାନସଭା ସିଟ୍ । ଆଜି ଯେତେବେଳେ ବିଧାନସଭାରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ ରାଜ୍ୟପାଳ ସେତେବେଳେ ଗୃହରେ ଉପସ୍ଥିତ ଥିଲେ ରୀତା ସାହୁ । ଆଉ ଏହା ଏକ ଭାବବିହ୍ୱଳ ପରିବେଷ ସୃଷ୍ଟି କରିଥିଲା ।