ବିଧାନସଭା ଆରମ୍ଭରୁ ହଙ୍ଗାମା ! ମୁଲତବି ପ୍ରସ୍ତାବକୁ ବାଚସ୍ପତିଙ୍କ ଅଗ୍ରାହ୍ୟ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

15

କନକ ବ୍ୟୁରୋ : ଆଜିର ବିଧାନସଭା ଆରମ୍ଭରୁ ହିଁ ହଙ୍ଗାମା । ବିରୋଧୀଙ୍କ ହୋହ୍ଲଲା ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ବିରୋଧୀଙ୍କ ମୁଲତବି ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିବା ପରେ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ନେଇ ମୁଲତବି ପ୍ରସ୍ତାବ ଆଣିଥିଲେ ବିରୋଧୀ । ବିରୋଧୀ ଗୃହକୁ ଜାଣିଶୁଣି ଅଚଳ କରୁଛନ୍ତି । ଏମତି କହିଛନ୍ତି ଶାସକ ଦଳର ସଦସ୍ୟ ତଥା ବିଜେଡି ବିଧାୟକ ସମୀର ଦାସ । ଗୃହକୁ ଚଳେଇ ଦେବାକୁ ଚାହୁଁନାହାନ୍ତି ବିରୋଧୀ, ଆଜି ହେଉଛି ତାର ଉଦାହରଣ ବୋଲି କହିଛନ୍ତି ସମୀର । ଏହା ବିରୋଧୀଙ୍କ ବିଶୃଙ୍ଖଳା ଆଚରଣ । କୌଣସି ନିର୍ଦ୍ଦିଷ୍ଟ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧ ଦଳ ମୁଲତବୀ ପ୍ରସ୍ତାବ ଆଣିନଥିବା କହିଛନ୍ତି ବିଧାୟକ ସମୀର ଦାସ ।

ସେପଟେ ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ସଦସ୍ୟ । ଦିନ ଆଲୁଅରେ ଗଣତନ୍ତ୍ର ହତ୍ୟା କରାଯାଉଛି ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ବିଧାୟକ ନବକିଶୋର ଦାସ । ସେ କହିଛନ୍ତି ବିଜେବି କଲେଜ ହେଉ ବା ବାଦାମବାଡି ବୋମାମାଡ ଘଟଣା । ଏସବୁ ଘଟଣା ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଥିବାରୁ ଶାସକ ଦଳ ଲୋକମତକୁ ଦବେଇ ଦେବା ପାଇଁ ଉଦ୍ୟମ କରୁଥିବା କହିଛନ୍ତି ନବ ଦାସ । ମୁଲତବି ପ୍ରସ୍ତାବ ଗ୍ରହଣ ନକରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପୟି ବିଧାୟକ ପ୍ରଦୀପ ପୁରୋହିତ । ଆଇନ ଶୃଙ୍ଖଳା ମୁଖ୍ୟମନ୍ତ୍ରୀଙ୍କ ଅଧିକରେ ରହିଛି । ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ କରିନଥିବା ପ୍ରଦୀପ ପୁରୋହିତ କହିଛନ୍ତି ।