କନକ ବ୍ୟୁରୋ : ଆଜି ବିଧାନସଭାରେ ଟଳିବ ଅଚଳାବସ୍ଥା । ଆଜି ଗୃହରେ ବିବୃତି ରଖିବେ ସରକାର । ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଲଗାତର ୩ ଦିନ ହେଲା ଅଚଳ ହୋଇପଡିଛି ବିଧାନସଭା । ମଙ୍ଗଳବାର ଦିନ ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ସଦସ୍ୟ ଧାରଣା ଦେଇଥିବାବେଳେ ଗତକାଲି ପ୍ଲାକାର୍ଡ ଓ ବ୍ୟାନର ଧରି ହଙ୍ଗାମା କରିଥିଲେ ।

ସରକାରଙ୍କ ବିବୃତି ପରେ ଅଚଳାବସ୍ଥା ଦୂର ହେବାର ସମ୍ଭାବନା ରହିଛି । ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି ଗତକାଲି ସର୍ବଦଳୀୟ ବୈଠକ କରିଥିଲେ । ଏହି ବୈଠକ ସଫଳ ହୋଇଛି ବୋଲି ଉଭୟ ଶାସକ ଓ ବିରୋଧୀଦଳ ସୂଚନା ଦେଇଛନ୍ତି । ସରକାର ବହୁ ଦୁର୍ନୀତିରେ ସଂପୃକ୍ତ ଥିବାରୁ ଲୋକାୟୁକ୍ତ ନିଯୁକ୍ତ କରୁନାହାଁନ୍ତି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।

ସୂଚନାଯୋଗ୍ୟ ଗତ ତିନି ଦିନ ଧରି ଏହି ପ୍ରସଙ୍ଗ ବିଧାନସଭାକୁ ଅଚଳ କରି ରଖିଛି । ଲୋକାୟୁକ୍ତ ବିଲର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି ବିରୋଧୀ । ତିନି ଦିନ ଧରି ଗୃହ ଅଚଳ ହେବା ପରେ ସ୍ୱାଭାବିକ କରିବାକୁ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ । ତେବେ ଗୁରୁବାର ଏହି ପ୍ରସଙ୍ଗରେ ବିବୃତି ରଖିପାରନ୍ତି ସରକାର ।