ଅଳ୍ପ ନୁହେଁ ବେଶୀ ଦିଅ ! ବିଧାନସଭାରେ ଦରମା ବଢାଇବାକୁ ବିଧାୟକଙ୍କ ସ୍ୱର ଏକ

180

କନକ ବ୍ୟୁରୋ : ବିଧାନସଭାରେ ବିଧାୟକଙ୍କ ଦାବି । ବଢାଯାଉ ଦରମା । ଗୋଟିଏ ପିଅନର ଦରମାଠୁ ବି କମ୍ ବିଧାୟକଙ୍କ ଦରମା । ଏଣୁ ଦରମା ବୃଦ୍ଧି ହେବା ଜରୁରୀ । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟ ବିଧାୟକଙ୍କ ଭଳି ସମାନ ପେନସନ୍ ଦାବି କରିଛନ୍ତି ଲୋକ ପ୍ରତିନିଧି । ବର୍ତମାନ ଯେତିକି ଦରମା ଓ ଭତା ମିଳୁଛି ସେତିକିରେ ଦୈନନ୍ଦିନ ଖର୍ଚ୍ଚ ମେଂଟାଇବା ଅସମ୍ଭବ ବୋଲି କହିଛନ୍ତି ବିଧାୟକ ।

ଏବେ ନଜର ପକାନ୍ତୁ ଓଡିଶାର ଜଣେ ବିଧାୟକଙ୍କ ଦରମା କେତେ? ମୂଳ ଦରମା ୧୬ ହଜାର ଟଙ୍କା । ସଂଗଠିତ ଭତା ୧୩ହଜାର । ନିଶ୍ଚିତ ଭତା ୮ ହଜାର । ଯାତ୍ରା ଖର୍ଚ ୭ ହଜାର । ବହି, ଜର୍ଣ୍ଣାଲ ଏବଂ ଖବର କାଗଜ ବାବଦରେ ଖର୍ଚ୍ଚ ୧ ହଜାର । ବିଦ୍ୟୁତ୍ ବାବଦ ଖର୍ଚ୍ଚ ୨ ହଜାର । ଚିକିତ୍ସା ବାବଦରେ ୫ ହଜାର । ଟେଲିଫୋନ୍ ଖର୍ଚ୍ଚ ୮ ହଜାର । ଏଥିସହ ବିଧାନସଭା ଅଧିବେଶନ ସମୟରେ ଦିନକୁ ୮ ଶହ ଟଙ୍କା । ଏସବୁକୁ ମିଶାଇଲେ ଜଣେ ବିଧାୟକ ଦରମା ଏବଂ ବିଭିନ୍ନ ଭତା ବାବଦରେ ପ୍ରାୟ ୬୦ ହଜାର ଟଂକା ପାଉଛନ୍ତି । ଅବସର ପରେ ବର୍ତମାନ ବିଧାୟକ ମାନେ ମାସକୁ ୧୫ ହଜାର ଟଙ୍କା ପେନସନ୍ ବି ପାଉଛନ୍ତି ।

ବିଧାୟକଙ୍କ ଦରମା ଓ ଭତା ତେଲେଙ୍ଗାନାରେ ୩ ଲକ୍ଷ ଏବଂ ଦିଲ୍ଲୀରେ ଅଢେଇ ଲକ୍ଷ ରହିଛି । ଏଭଳି ସ୍ଥିତିରେ ଅଧିକ ଦରମା ଓ ପେନସନ୍ ଦାବି କରୁଛନ୍ତି ଲୋକ ପ୍ରତିନିଧି । ତେବେ ଦରମା ବୃଦ୍ଧି ଦାବି ସହ ବିଧାନସଭାରେ ନିୟମିତ ଉପସ୍ଥିତ ରହିବା ଅଧିକ ଜରୁରୀ ।

ଦରମା ଏବଂ ପେନସନ୍ ବାବଦରେ ଅଧିକ ଟଙ୍କା ଦାବି କରୁଛନ୍ତି ବିଧାୟକ । ହେଲେ ଠିକ୍ ଭାବେ ବିଧାନସଭା ଆସୁଛନ୍ତି କି? ଅଧିବେଶନ ସମୟରେ କେତେ ଦିନ ଆସୁଛନ୍ତି ବିଧାନସଭା? ଗୃହରେ କେତେ ଘଂଟା ଉପସ୍ଥିତ ରହୁଛନ୍ତି? ଦରମା ବୃଦ୍ଧି ଦାବି ଦିନ ଗୃହରେ ଥିଲେ ମୋଟ୍ ୮ଜଣ ସଦସ୍ୟ । ଏଭଳି ସ୍ଥିତି ବିଧାନସଭାରେ ବାରମ୍ବାର ଦେଖିବାକୁ ମିଳୁଛି । ଏପରିକି ଗୃହରେ ସବୁଠୁ କମ୍ ସମୟ ରହୁଛନ୍ତି ମୁଖ୍ୟମନ୍ତ୍ରୀ ।