ବିଲରେ ସଢୁଛି ବିଲାତି ! ବିଧାନସଭାରେ ଟମାଟୋର ଅଭାବୀ ବିକ୍ରି ତାତି, ସରକାରଙ୍କୁ ଘେରିଲେ ବିରୋଧୀ

82

କନକ ବ୍ୟୁରୋ : ବିଧାନସଭାରେ ଟମାଟୋର ଅଭାବୀ ବିକ୍ରି ତାତି । ଗଞ୍ଜାମରେ ଟମାଟୋର ଅଭାବି ବିକ୍ରୀ ନେଇ ପ୍ରଶ୍ନକାଳରେ ଆଜି ବିରୋଧୀ ଦଳ ହଙ୍ଗାମା କରିଛନ୍ତି । ଫଳରେ ପ୍ରଥମେ ସାଢେ ୧୧ଟା ଯାଏଁ ଓ ପରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି । ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଟମାଟୋ ଅଭାବି ବିକ୍ରି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ।

କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଆଜି ପ୍ରଶ୍ନକାଳ ଚାଲିପାରିନାହିଁ । ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରା କଂଗ୍ରେସ ଓ ବିଜେପି ବିଧାୟକ ହଟ୍ଟଗୋଳ କରିବାକୁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିଜେଡି ବିଧାୟକ ସଂଜୟଦାସବର୍ମା କହିଛନ୍ତି ଗୃହରେ ବିରୋଧୀଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ ।

ବିଧାନସଭାରେ ଟାମାଟୋର ଅଭାବୀ ବିକ୍ରୀ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗ୍ରାଉଣ୍ଡ ଜିରୋରେ ଥିବା ଚାଷୀଙ୍କ ସମସ୍ୟାକୁ ଭୁଲି ଯାଉଛନ୍ତି ସରକାର । କୃଷି କର୍ମଣ ପୁରସ୍କାର ଦେଖାଇ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର । ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ କହିଛନ୍ତି, ଆମେ ବି ସର୍ବଦଳୀୟ ବୈଠକ ଦାବି କରୁଛିୁ । ରାଜ୍ୟରେ ୪୨ଟି ଶୀତଳଭଣ୍ଡାର ଥିବା କଥା କହିଥିଲେ ମନ୍ତ୍ରୀ । ଅଭାବୀ ବିକ୍ରୀ ସମୟରେ ଶୀତଳଭଣ୍ଡାରର ବ୍ୟବହାର ହେଉ । ଫଳରେ ଚାଷୀ ତାର ମୂଲ୍ୟ ପାଇବ ।