୮ କୋଟିକୁ ନେଇ ଦୂର ହେଉନି ଅଚଳାବସ୍ଥା : ସେପଟେ ନିର୍ବାଚନ ପାଇଁ ଦଳୀୟ ଚାନ୍ଦା ଆଣିଛି ରାଜନୀତିରେ ଝଡ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୃହରେ ଜାରି ରହିଛି ଶାସକ ବିରୋଧୀଙ୍କ ମଧ୍ୟରେ ଟଣାଓଟଣା । ବିଧାନସଭାର ଆକ୍ରାମଣାତ୍ମକ ରୂପ ଆପଣେଇ ଥିଲେ ବିରୋଧୀ । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହୋହାଲ୍ଲା କରିଥିଲେ । ବିଜେପି ସଦସ୍ୟମାନେ କଳା ଗାଉନ ପିନ୍ଧି ହଙ୍ଗାମା କରିଥିଲେ । ଫଳରେ ଗୃହ କାଲି ଯାଏଁ ଗୃହ ମୁଲତବୀ ରହିଛି । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ଆଲୋଚନା ମଧ୍ୟ ଅସମାପ୍ତ ରହିଛି ।

ସେପଟେ ନିର୍ବାଚନ ପାଇଁ ଦଳୀୟ ଚାନ୍ଦା ଆଣିଛି ରାଜ୍ୟ ରାଜନୀତିରେ ଝଡ଼ । କୋଟି କୋଟି ଟଙ୍କା ପାଇଛନ୍ତି, ଆଉ ନିର୍ବାଚନ ବେଳେ ଖର୍ଚ୍ଚ କରି ଭୋଟ ପାଇଛନ୍ତି । ବ୍ୟବସ୍ଥା ଅନୁସାରେ, ନିର୍ବାଚନ କମିଶନଙ୍କ ନିକଟରେ ପଂଜୀକୃତ ବିଭିନ୍ନ ଟ୍ରଷ୍ଟ ରାଜନୈତିକ ଦଳକୁ ଫଣ୍ଡିଂ କରନ୍ତି । ଆଉ ଗତ ନିର୍ବାଚନରେ କୋଟି କୋଟି ଟଙ୍କା ଆସିଥିଲା ଏକାଧିକ ପାର୍ଟି ଆକାଉଂଟକୁ । ତେବେ କେତେ ସ୍ୱଛତାର ସହ ବିଭିନ୍ନ ଟ୍ରଷ୍ଟରୁ ଆସେ ଟଙ୍କା, ନିଜ ଲାଭ ହାସଲ କରିବାକୁ କର୍ପୋରେଟ ହାଉସ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ରାଜନୈତିକ ଚାନ୍ଦା ଦିଅନ୍ତି କି? ଏହାକୁ ନେଇ ଆରମ୍ଭ ହୋଇଛି ବଡ ଧରଣର ବିତର୍କ ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ତଥ୍ୟ ଅନୁଯାୟୀ, ଗତ ନିର୍ବାଚନ ସମୟରେ ବିଭିନ୍ନ ଇଲେକ୍ଟୋରାଲ ଟ୍ରଷ୍ଟରୁ ବିଜେଡି, ବିଜେପି ଓ କଂଗ୍ରେସ ଟଙ୍କା ଆଣିଛନ୍ତି । ନିର୍ବାଚନ କମିଶନଙ୍କ ନିକଟରେ ପଂଜୀକୃତ ବିଭିନ୍ନ ଟ୍ରଷ୍ଟ ରାଜନୈତିକ ଦଳକୁ ଫଣ୍ଡିଂ କରନ୍ତି । ଆଉ ସେହି କ୍ରମରେ ରାଜ୍ୟର ତିନି ପ୍ରମୁଖ ଦଳ ଆଣିଛନ୍ତି ଲକ୍ଷାଧିକ ଟଙ୍କା ।

୨୦୧୪ ନିର୍ବାଚନ ବିଗୁଲ ବାଜିବା ବେଳେ ବିଜେଡି ନିକଟରେ ୯୪ ହଜାର କ୍ୟାସ ଥିବା ବେଳେ ଆକଉଂଟରେ ଥିଲା ୨.୭୨ କୋଟି । ହେଲେ ନିର୍ବାଚନ ସରିବା ବେଳକୁ ବିଜେଡି ଖାତାରେ ବାଲାନସ ରହିଥିଲା ୧୯.୧୩ କୋଟି । ବିଭିନ୍ନ ସୋର୍ସରୁ ଦଳ ୨୭.୨୫ କୋଟି ଦାନ ଆକାରରେ ପାଇଥିଲା । ନିର୍ବାଚନ କମିଶନଙ୍କ ୱେବସାଇଟରେ ଥିବା ତଥ୍ୟ ଅନୁସାରେ, ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନ ଲାଗି ଦଳ ମୋଟ ୧୨.୬୨ କୋଟି ଖର୍ଚ୍ଚ କରିଥିଲା । ବିଜେଡିକୁ ରାଜନୈତିକ ଚାନ୍ଦା ଦେବା ତାଲିକାର ଆଗରେ ଥିଲେ ବହୁ କର୍ପୋରେଟ ହାଉସ । ଆଦିତ୍ୟ ବିର୍ଲା ଗ୍ରୁପର ଜେନେରାଲ ଇଲେକ୍ଟୋରାଲ ଟ୍ରଷ୍ଟ ୧୦ କୋଟି ଦେଇଥିବା ବେଳେ ଟାଟା ଗ୍ରୁପର ପ୍ରୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେଡିକୁ ତିନି ପର୍ଯ୍ୟାୟରେ ୫.୨୫ କୋଟି ଡୋନେସନ ଦେଇଥିଲା । ସେହିଭଳି ସତ୍ୟ ଇଲେକ୍ଟୋରାଲ ଟ୍ରଷ୍ଟ ୨୫ ଲକ୍ଷ ଏବଂ ମୁମ୍ବାଇର ଏକ କଂପାନୀ ଲୋଟସ ଇଣ୍ଡିଆ ଦଳକୁ ଦେଇଥିଲା ୩ କୋଟିର ଡୋନେସନ । ଏହାବାଦ ମଧ୍ୟ ବିଭିନ୍ନ କର୍ପୋରେଟ ହାଉସ ବିଜେଡି ଆକଉଂଟକୁ ଦେଇଥିଲେ ଲକ୍ଷାଧିକ ଟଙ୍କା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୈଜୟନ୍ତ ପଣ୍ଡା, ପିନାକୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର ନିର୍ବାଚନରେ ଲଢିବାକୁ ଦଳ ଆକାଉଂଟରୁ ଟଙ୍କା ନେଇନାହାନ୍ତି । ହେଲେ ବିଜେଡିର ନିର୍ବାଚନୀ ଖର୍ଚ୍ଚ ବାବଦ ତଥ୍ୟ ଦେଖିଲେଲାଗୁଛି ଏହି ତଥ୍ୟ କେବଳ ଧର୍ମକୁ ଆଖିଠାର ।

ତେବେ ଦୁଇ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପି ଦଳ ଆକାଉଂଟକୁ କେଉଁ ଟ୍ରଷ୍ଟରୁ ଆସିଥିଲା କେତେ ଟଙ୍କା । ପ୍ରୋଗ୍ରେସିଭ ଇଲେକ୍ଟୋରାଲ ଟ୍ରଷ୍ଟରୁ କଂଗ୍ରେସ ଦୁଇଥରରେ ୯୧ ଲକ୍ଷ ୮୩ ହଜାର ୮୦୬ ଟଙ୍କା ଆଣିଥିଲା । ସତ୍ୟ ଇଲେକ୍ଟୋରାଲ ଟ୍ରଷ୍ଟରୁ ଜାତୀୟ ସ୍ତରରେ ବିଜେପି ସର୍ବାଧିକ ୧୦୦ କୋଟି ପାଇଥିବା ବେଳେ କଂଗ୍ରେସ ପାଇଥିଲା ୧୮ କୋଟି ୧୯ ଲକ୍ଷ ।

ନିକଟରେ ପ୍ରକାଶିତ ତଥ୍ୟ ଅନୁସାରେ, ୨୦୧୪ ନିର୍ବାଚନରେ ବିଜେପି ପାଇଥିଲା ସବୁଠାରୁ ଅଧିକ ଡୋନେସନ । ଯାହାର ପରିମାଣ ଥିଲା ୬୩.୨୦ କୋଟି । ୧୯ଟି ରାଜନୈତିକ ଦଳକୁ ଇଲେକ୍ଟୋରାଲ ଟ୍ରଷ୍ଟ ଦେଇଥିଲେ ୧୭୭.୪୦ କୋଟି । ୧୫ଟି ଆଂଚଳିକ ଦଳକୁ ଏହି ୪ଟି ଟ୍ରଷ୍ଟ ଦେଇଥିଲା ୨୭.୫୮ କୋଟି । ଯେଉଁ ତାଲିକାରେ ବି ସାମିଲ ଥିଲା ବିଜେଡି ।

ତେବେ ପ୍ରଶ୍ନ ଉଠୁଛି, କେତେ ସ୍ୱଛତାର ସହ ହେଉଛି ଏହି ଟଙ୍କା କାରବାର? ରାଜନୈତିକ ଦଳଙ୍କୁ ବିଭିନ୍ନ ଟ୍ରଷ୍ଟ ଟଙ୍କା ଦେବା ପଛରେ ଉଦେଶ୍ୟ କଣ? ନିଜ ଉଦେଶ୍ୟ ସାଧିତ କରିବାକୁ ବିଭିନ୍ନ କର୍ପୋରେଟ ହାଉସ ଟ୍ରଷ୍ଟ ଜରିଆରେ ଡୋନେସନ ଦେଇଥାନ୍ତି କି?