ଦ୍ୱିତୀୟ ଦିନରେ ବି ଅଚଳାବସ୍ଥା : ଗୃହ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ବିଧାନସଭା ବନ୍ଦ କଲା ବିଜେଡି । ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ର ଓଡିଶା ପ୍ରତି ଅବହେଳ କରୁଛି ବୋଲି ଅଭିଯୋଗ ଆଣି ଶାସକ ଦଳ ବିଧାୟକମାନେ ହୋହଲ୍ଲା କରିଛନ୍ତି । ଏଥିସହ ବିଜେଡି ବିଧାୟକ ମାନେ ବିଧାନସଭା ପରିସରରେ ଗାନ୍ଧିମୂର୍ତି ତଳେ ବସି ଧାରଣା ଦେଇଛନ୍ତି ।

ଗତକାଲି ମଧ୍ୟ ବିଧାନସଭା ଆରମ୍ଭ ହେବା ମାତ୍ରେ ଶାସକ ଦଳର ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିବାରୁ ବିଧାନସଭାକୁ ମୁଲତବୀ ରଖାଯାଇଥିଲା । ଆଜି ଶାସକ ଦଳର ବିଧାୟକମାନେ କହିଛନ୍ତି ବର୍ତମାନ ମହାନଦୀ ଏବଂ ପୋଲାଭରମ୍ ସବୁଠାରୁ ବଡ ପ୍ରସଙ୍ଗ। କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି।

ସେପଟେ ବିଧାନସଭା ଅଚଳାବସ୍ଥାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ । ଶାସକ ଦଳ ବିଧାୟକ ଗୃହକୁ ଅଚଳ କରୁଥିବାରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ନରସିଂହ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଗୃହର ମୁଖ୍ୟ, ଗୃହର ଗାରିମା ରକ୍ଷା କରିବା ତାଙ୍କର ଦାୟିତ୍ୱ । ମାତ୍ର ମୁଖ୍ୟମନ୍ତ୍ରୀ ଗୃହକୁ ଚଳାଇବାରେ ବିଫଳ ହୋଇଛନ୍ତି ।