ଆଜି ବି ଚାଲି ପାରିଲାନି ଗୃହ : ପୁରୁଣା ଦାବିରେ ଅଡି ବସିଲେ ବିରୋଧୀ

40

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ପ୍ରତିହିଂସା ପରାୟଣ ହୋଇପଡିଛନ୍ତି ସରକାର । ଆଇନ ବିଶାରଦ ନରସିଂହ ମିଶ୍ରଙ୍କ ଘନଘନ ପ୍ରଶ୍ନ ବାଣରେ ବାରମ୍ବାର ଘାଇଲା ହୋଇଛନ୍ତି ସରକାର । ଆଉ ଗୃହରେ ମୁକାବିଲା କରିନପାରି ବିରୋଧୀ ଦଳ ନେତାଙ୍କ ବିରୋଧରେ ଥିବା ପୁରୁଣା ମାମଲାକୁ ପୁଣି ଖୋଲିବାକୁ ହୀନ ଉଦ୍ୟମ ଚଳାଇଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି । ସେପଟେ ଓଡିଶା ବିଧାନସଭାରେ ଦେଖାଦେଇଥିବା ଅଭାବନୀୟ ପରିସ୍ଥିତି ଆଜି ବି ଜାରି ରହିଛି । ଦୀର୍ଘ ୧୦ ଦିନ ହେଲାଣି ଗୃହରେ କୌଣସି ଆଲୋଚନା ହୋଇପାରୁ ନାହିଁ । ପ୍ରଶ୍ନକାଳ ଆରମ୍ଭରୁ ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିବା ଫଳରେ ଅଚଳ ହୋଇପଡୁଛି ଗୃହ କାର୍ଯ୍ୟ । ବାଚସ୍ପତିଙ୍କ ବାରମ୍ବାର ସର୍ବଦଳୀୟ ବୈଠକରୁ ବି ବାହାରି ପାରୁନି ସମାଧାନର ବାଟ । ସର୍ବଦଳୀୟ ବୈଠକରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗଦେବା ସତ୍ୱେ ହଟି ପାରୁନି ବିଧାନସଭାରେ ଅଚଳାବସ୍ଥା । ଆଜି ଦିନତମାମ ବିଧାନସଭାରେ ଅଚଳାବସ୍ଥା ଲାଗିରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ କିଛି ସମୟ ପାଇଁ ଚାଲିଥିଲା ଗୃହକାର୍ଯ୍ୟ । ଆଉ ଏହାରି ଭିତରେ ପୁଣି ପୁରୁଣା ପ୍ରଶ୍ନ ଦୋହରାଇ ଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଗୃହ ଚଳାଇବାରେ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ କରିଥିଲେ । ତାଙ୍କୁ ଯେଭଳି ଗୃହରେ ଅପମାନିତ କରାଯାଇଛି, ଯେଉଁ ଅପଶବ୍ଦ ପ୍ରୟୋଗ କରାଯାଇଛି ତାକୁ ପ୍ରତ୍ୟାହାର କରିବା ଲାଗି ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଗୃହରେ ତାର ଧାର ଧରୁ ନାହାନ୍ତି ସରକାର । ଏହାକୁ ନେଇ ଶାସକ ଦଳର ନକାରାତ୍ମକ ପ୍ରତିକ୍ରିୟା ପରେ ପୁଣି ଗୃହକୁ ଅଚଳ କରିଦେଇଛନ୍ତି ବିରୋଧୀ ।