ସମ୍ବଲପୁରରେ ନୋଟିସ ଆସାମରେ ହଇଚଇ! ଭଙ୍ଗାଯିବନି ଆସାମ ଲେଖକ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ବାସଭବନ, ଆସାମର ଅନୁରୋଧ ରକ୍ଷାକଲା ଓଡ଼ିଶା

40

କନକ ବ୍ୟୁରୋ : ରାସ୍ତା ନିର୍ମାଣ ପାଇଁ ହେବାକୁ ଥିବା ଜମିଗ୍ରହଣ ପାଇଁ ଲାଗିଛି ନୋଟିସ । ସମ୍ବଲପୁରରେ ଲାଗିଥିବା ଏହି ନୋଟିସ କିନ୍ତୁ ଆସାମରେ ହଇଚଇ ସୃଷ୍ଟି କରିଛି । ଅହମିଆ ଭାଷାର ପ୍ରଥମ ଗଦ୍ୟ ଲେଖକ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ସମ୍ବଲପୁରସ୍ଥିତ ବାସଭବନ ଭଙ୍ଗା ହେବା ପାଇଁ ନୋଟିସ ଜାରି ହୋଇଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ସହରର ନେଲସନ ମାଣ୍ଡେଲା ଛକ ସ୍ଥିତି ବେଜବରୁଆଙ୍କ ଘରକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଜାରି କରିଛି ନୋଟିସ । ଏହି ଖବର ଜଣାପଡିବା ପରେ ଏହାର ସୁରକ୍ଷା ପାଇଁ ଆସାମରେ ଦାବି ଜୋର ଧରିଛି । ଦୀର୍ଘ ୨୦ ବର୍ଷ ଧରି ଏହି ଘରେ ରହି ସେ ସାହିତ୍ୟ ସାଧନା କରିଥିଲେ । ଏହାର ସୁରକ୍ଷା ପାଇଁ ଏବେ ଦାବି ଜୋର ଧରିଛି । ଆଉ ଏହି ଦାବିକୁ ସମ୍ମାନ ଜଣାଇଛନ୍ତି ସରକାର । ଏହି ଘରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ସାହିତ୍ୟିକ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ଜନ୍ମ ଆସାମରେ ହୋଇଥିବା ବେଳେ ସେ ୧୯୧୭ ମସିହାରେ ସମ୍ବଲପୁରରେ ରହି ବାଡ୍ କମ୍ପାନୀରେ ଚାକିରି କରୁଥିଲେ । ପରେ ୧୯୨୪ ମସିହାରେ କଚେରୀ ଛକ ନିକଟରେ ପ୍ରାୟ ୨ ଏକର ଜାଗାରେ ନିଜର ଘର ନିର୍ମାଣ କରି ରହିଥିଲେ । ଏଠାରେ ଅବସ୍ଥାନ ବେଳେ ସେ ବହୁ ସାହିତ୍ୟ ରଚନା କରିଥିଲେ । ତାଙ୍କ ଲେଖାରେ ସମ୍ବଲପୁର ଓ ମହାନଦୀର ବହୁ କଥା ଉଲ୍ଲେଖ ରହିଛି । ବେଜବରୁଆଙ୍କ ଏହି ଘର ଓଡିଶା ଓ ଆସାମର ସାଂସ୍କୃତିକ ସଂପର୍କର ମୁଖସାକ୍ଷୀ । ଏହାର ସୁରକ୍ଷା ଓ ସଂରକ୍ଷଣ କରାଯିବ ବୋଲି କହିଛନ୍ତି ସମ୍ବଲପୁର ବିଧାୟିକା ।

ଆସାମର ରାଜ୍ୟ ସଂଗୀତର ରଚୟୀତା ଲକ୍ଷ୍ମୀନାଥ ବେଜବରୁଆଙ୍କ ବାସଭବନର ସୁରକ୍ଷା ନେଇ ଓଡିଶା ସରକାରଙ୍କ ଆଲୋଚନା କରିବା ପାଇଁ ଆସୁଛନ୍ତି ଆସାମ ସରକାରଙ୍କ ସଂସ୍କୃତି ମନ୍ତ୍ରୀ । ତେବେ ଲୋକଙ୍କ ଦାବି ପରେ ଏହି ଘରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।