ତେଜପୁରରେ ବାୟୁସେନାର ସୁଖୋଇ ବିମାନ ଦୁର୍ଘଟଣା । ବର୍ତିଗଲେ ଦୁଇ ପାଇଲଟ୍, ଖସିପଡ଼ିବା ପରେ ଜଳିଗଲା ବିମାନ

ପୁଣି ଥରେ ଦୁର୍ଘଟଣାଗ୍ରସ୍ଥ ହେଲା ଭାରତୀୟ ବାୟୁସେନାର ସୁଖୋଇ ବିମାନ

130

କନକ ବ୍ୟୁରୋ : ପୁଣି ଥରେ ଦୁର୍ଘଟଣାଗ୍ରସ୍ଥ ହେଲା ଭାରତୀୟ ବାୟୁସେନାର ସୁଖୋଇ ବିମାନ । ଆସାମର ତେଜପୁରରେ ଗୁରୁବାର ସଂଧ୍ୟାରେ ସୁଖୋଇ-୩୦ ବିମାନ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଛି । ବିମାନରେ ଥିବା ଦୁଇ ଜଣଯାକ ପାଇଲଟ୍ ଏଥିରୁ ବର୍ତିଯାଇଛନ୍ତି । ପାରାଚ୍ୟୁଟ୍ ଯୋଗେ ପାଇଲଟ୍ ମାନେ ସୁରକ୍ଷିତ ଅବତରଣ କରିଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ଏକ ପ୍ରଶିକ୍ଷଣ ଉଡ଼ାଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇ ଖସିପଡ଼ିଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

ବାୟୁସେନା ପକ୍ଷରୁ ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏବେ ନୁହେଁ ଅନେକ ସମୟରେ ଭାରତୀୟ ବାୟୁ ସେନାର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବରାମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା କାରଣରୁ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥାଇପାରେ ବୋଲି କେହି କେହି କହୁଛନ୍ତି । ହେଲେ ଏନେଇ ବାୟୁସେନା ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଘଟଣାର ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି ।