ମା’ ପରି କିଏ ହେବ ! ଝିଅ ସ୍ୱପ୍ନକୁ ପୁରା କରିବାକୁ ରିକ୍ସା ଟାଣିଲେ ମହିଳା

62

ଗୌହ୍ଵାଟୀ: ପ୍ରସିଦ୍ଧ ରୋମାନ୍‌ ଦାର୍ଶନିକ ସେନେକା ଥରେ କହିଥିଲେ, ‘କେତେକ ସମୟରେ ବଞ୍ଚି ରହିବା ବି ଏକ ସାହସିକ ଗୁଣ।’ ୫୫ ବର୍ଷୀୟା ଏହି ଆସାମୀ ମହିଳା ଦାର୍ଶନିକଙ୍କ ସେ କଥାର ଯଥାର୍ଥତା ପ୍ରତିପାଦନ କରିଛନ୍ତି।

ଆସାମର ଭୋକାହାଟଠାରେ ଥିବା ରାଜାବାରି ଗ୍ରାମର ମହିଳା ମାମୋନି ଦାସ ଏକ ରିକ୍ସା ଚଳାଇ ଭଡ଼ାରେ ଯାତ୍ରୀ ନେବା ଆଣିବା କରୁଥିବା ଘଟଣା ବେଶ୍‌ ଚର୍ଚ୍ଚା ପାଲଟିଛି। ଏହି ମହିଳା ଜଣକ ନିଜ କିଶୋରୀ ଝିଅର ଦାୟିତ୍ୱକୁ ନିଜ ମୁଣ୍ଡକୁ ନେଇ ପ୍ରତିଦିନ ଜୀବନ ସହ ସଂଘର୍ଷ କରୁଛନ୍ତି। ମାମୋନି ଜଣେ ସିଙ୍ଗିଲ୍‌ ମଦର୍‌। ସବୁ ମାଆଙ୍କ ପରି ସେ ବି ନିଜ ଝିଅକୁ ଅନେକ ଶ୍ରଦ୍ଧା କରନ୍ତି। ସେ ଚାହାନ୍ତି ତାଙ୍କ ଝିଅ ଉପଯୁକ୍ତ ଶିକ୍ଷା ପାଉ ଏବଂ ଭବିଷ୍ୟତରେ ଜଣେ କୁସ୍ତି ଚମ୍ପିୟାନ ହେଉ। ଅନେକ ସଂସ୍ଥା ମାମୋନିଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ ବି କେହି ହେଲେ ସାହାଯ୍ୟ କରିନାହାନ୍ତି ବୋଲି ସେ ଗଣମାଧ୍ୟମରେ ଜଣାଇଛନ୍ତି।

ଆସାମର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଙ୍ଗରାଗ ପାପୁନ୍‌ ମହାନ୍ତ ମାମୋନିଙ୍କ କାହାଣୀ ଲୋକଲୋଚନକୁ ଆଣିବା ପରେ ଏହି କାହାଣୀ ଏବେ ଚାରିଆଡ଼େ ପ୍ରଚାର ହୋଇଛି। ଅଙ୍ଗରାଗ ମହିଳାଙ୍କ ସଂପର୍କରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ୍‌ଙ୍କୁ ଟୁଇଟ୍‌ କରି ସାହାଯ୍ୟ ଭିକ୍ଷା କରିଥିଲେ। ସେ ମାମୋନି ଦାସଙ୍କ ଝିଅ ମାମୁ ଦାଙ୍କ ସଂପର୍କରେ ମଧ୍ୟ କିଛି ସୂଚନା ପ୍ରଦାନ କରିଥିଲେ।

ଗୁରୁବାର ଆସାମର ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କଣ୍ଠଶିଳ୍ପୀଙ୍କ ଟୁଇଟ୍‌ର ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ସେ ମହିଳାଙ୍କୁ କହିଛି ଯେ ତାଙ୍କୁ ବିନା ସୁଧରେ ବ୍ୟାଙ୍କ୍‌ ଋଣ ପ୍ରଦାନ କରିବ। ଫଳରେ ସେ ନିଜର ଏକ ବ୍ୟବସାୟ ଆରମ୍ଭ କରିପାରିବେ।