ଟିକେଟ ପାଇଁ ନବୀନ ନିବାସ ଆଗରେ ନେତା ଲାଇନ୍: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରବି ନନ୍ଦ, କୋରାପୁଟରେ ପ୍ରାର୍ଥୀ ଚୟନକୁ ନେଇ ବିଜେଡିର କସରତ

339

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକମାସରୁ କମ ସମୟ ରହିଛି । ଆଉ ଏହି ସମୟରେ ବିଜେଡି ଟିକେଟ ପାଇଁ ନବୀନ ନିବାସରେ ନେତାଙ୍କ ଲମ୍ବା ଲାଇନ ଲାଗିଛି । ଜଣକ ପରେ ଜଣେ ନେତା ଟିକେଟ ପାଇବା ପାଇଁ ଲବିକୁ ଜୋରଦାର କରିଛନ୍ତି । ଆଜି କୋରାପୁଟର ନେତାମାନେ ନବୀନ ନିବାସ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦ । ଟିକେଟ ପାଇଁ ଗତ ୩ ଦିନ ହେଲା ନବୀନ ନିବାସରେ ଭିଡ ଜମୁଛି ।

ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ବ୍ରହ୍ମପୁର, କୋରପୁଟ, ନବରଙ୍ଗପୁର ଓ କାଳାହାଣ୍ଡି ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ତେଣୁ ଏହି ଆସନଗୁଡିକର ସମ୍ଭାବ୍ୟ ପ୍ରାର୍ଥୀ ନେଇ ବିଜେଡିରେ ଅଙ୍କକଷା ଚାଲିଛି । ୪ ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ୨୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକାରେ ଚୂଡାନ୍ତ ମୋହର ବାଜିବ । ଆସନ୍ତା ୧୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀ ବି କହିସାରିଛନ୍ତି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବ । ତେଣୁ ନବୀନ ନିବାସରେ ନେତାଙ୍କ ଭିଡ ଲାଗିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆସନ୍ତା ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଆଉ କିଛି ଦିନ ମଧ୍ୟରେ ସମସ୍ତ ଦଳ ପ୍ରାର୍ଥୀ ମାନଙ୍କ ତାଲିକା ଘୋଷଣା କରିବେ । ତେବେ ଏଥର ଲଢ଼େଇ ଧୂଆଁଧାର ହେବ ବୋଲି ରାଜନୀତି ବିଶେଷଜ୍ଞ ଓ ବିଭନ୍ନ ସର୍ଭେ ରିପୋର୍ଟ କହୁଛି । ସେପଟେ ରାଜ୍ୟରେ ବିରୋଧୀ ଧିରେ ଧିରେ ଶକ୍ତିଶାଳୀ ହେଉଥିବାରୁ ଏହାକୁ ଗୁରୁତ୍ୱର ସହ ନେଇ ଶାସକ ବିଜେଡି ଯୋଗ୍ୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଶୁଣିବାକୁ ମିଳୁଛି । ତେଣୁ ବିଜେଡି ପ୍ରସ୍ତୁତ ରହିଛି ଏବଂ ଖୁବଶୀଘ୍ର ପ୍ରର୍ଥୀ ତାଲିକା ଘୋଷଣା କରିବ ବୋଲି ବିଜେଡି ସୁପ୍ରିମୋ ସ୍ପଷ୍ଟ କରିଛନ୍ତି ।