କଂଗ୍ରେସ ଟିକେଟ ଖଣ୍ଡିଏ ପାଇଁ…! କଂଗ୍ରେସ ଭବନ ପରେ ଏବେ ପିସିସି ସଭାପତିଙ୍କ ବାସଭବନରେ ଲମ୍ବା ଲାଇନ ଲଗାଉଛନ୍ତି ଆଶାୟୀ ପ୍ରାର୍ଥୀ, ବାୟୋଡାଟା ଦେବା ସହ କରୁଛନ୍ତି ଲବି

111

କନକ ବ୍ୟୁରୋ : ନିର୍ବାଚନରେ ଟିକେଟ୍ ପାଇଁ କଂଗ୍ରେସରେ ଆଶାୟୀ ପ୍ରାର୍ଥୀଙ୍କ କସରତ୍ । ଟିକେଟ୍ ପାଇଁ ଲାଗୁଛି ଲମ୍ବା ଲାଇନ୍ । ଜଣକ ପରେ ଜଣେ ଆଶାୟୀ ପ୍ରାର୍ଥୀ ଏବଂ ଯୁବ ନେତା, ପିସିସି ମୁଖିଆଙ୍କ ପାଖରେ ପହଁଚି ଟିକେଟ୍ ପାଇଁ ଦାବି ଜଣାଉଛନ୍ତି । ଗତ ୫ ବର୍ଷ ଭିତରେ ଦଳ ପାଇଁ କଣ କରିଛନ୍ତି ଏବଂ ତାଙ୍କ ପଛରେ କେତେ ଲୋକଙ୍କ ସମର୍ଥନ ରହିଛି , ସେନେଇ ପିସିସିକୁ ଜଣାଉଛନ୍ତି । କେହି କେହି ତ କହୁଛନ୍ତି, ଟିକେଟ୍ ମିଳିଲେ ଏଥର ନିଶ୍ଚିତ ବିଜୟୀ ହେବେ ।

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ବାସଭବନରେ କଂଗ୍ରେସ ନେତାଙ୍କ ଭିଡ । କଂଗ୍ରେସ ଭବନ ଭଳି ଏଠି ମଧ୍ୟ ଟିକେଟ୍ ଆଶାୟୀଙ୍କ ଲମ୍ବା ଲାଇନ୍ । ହାତରେ ବାୟାଡାଟା ଓ ସାଙ୍ଗରେ ସମର୍ଥକଙ୍କୁ ଧରି ସଭାପତିଙ୍କ ନିକଟରେ ଲବି କରୁଛନ୍ତି ନେତା । ନିଜର ସାଂଗଠନିକ ଦକ୍ଷତା ଦର୍ଶାଇ ଯୁକ୍ତି ବାଢୁଛନ୍ତି ନିଜ ସପକ୍ଷରେ  ।  କିଛି କିଛି ନିର୍ବାଚନ ମଣ୍ଡଳୀରୁ ଏକାଧିକ ଅଶାୟୀ ଅଛନ୍ତି । ନିଜକୁ ଅନ୍ୟ ଠାରୁ ଯୋଗ୍ୟ ପ୍ରମାଣ କରିବାକୁ ଦଳବଳ ଧରି ପହଁଚୁଛନ୍ତି ପିସିସି ସଭାପତିଙ୍କ ନିକଟରେ । ଏପରିକି ପରସ୍ପର ବିରୋଧରେ ମଧ୍ୟ ମତ ଦେଉଛନ୍ତି କିଛି ନେତା ।

ଆଉ ଏସବୁ ଭିତରେ ବେଶ ଧୈର୍ଯ୍ୟର ସହ ସମସ୍ତଙ୍କ କଥା ଶୁଣୁଛନ୍ତି ପିସିସି ସଭାପତି ଓ ଆଉ ସେମାନଙ୍କୁ ଦେଉଛନ୍ତି ଆଶ୍ୱସ୍ତି । ତେବେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନେକ ଆଶାୟୀ ଏବେ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସମସ୍ତଙ୍କୁ ବୁଝାଇ ସୁଝାଇ ସଂଗଠନକୁ ମଜବୁତ କରିବା ଲାଗି ପରାମର୍ଶ ଦେଉଛନ୍ତି ନିରଂଜନ ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ମହଲରେ ହଲଚଲ ସେତିକି ବଢ଼ିବାରେ ଲାଗିଛି । ଗୋଟିଏ ପଟେ କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଚାଲିଛି, ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ ବାରିପଦା ଓ ସମ୍ବଲପୁରରେ ଆରମ୍ଭ ହୋଇଛି । ମାର୍ଚ୍ଚ ୫ରେ କୋରାପୁଟ ଗସ୍ତ କରିବେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଚୂଡାନ୍ତ ଟିକେଟ ତାଲିକା ଘୋଷଣା କରିବାକୁ କସରତ କରୁଛି କଂଗ୍ରେସ ।