ଆସିକା ଲୋକସଭା ଆସନ ନେଇ ଛକାପଞ୍ଝା । ବିଜେପି-ବିଜେଡିକୁ ଟେନସନ୍ ମାଳମାଳ ଆଶାୟୀ, କ’ଣ କରିବ କଂଗ୍ରେସ? 

ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଆସିକା ସ˚ସଦୀୟ କ୍ଷେତ୍ର ଉପରେ ସବୁ ରାଜନୈତିକ ଦଳର ତୀକ୍ଷ୍ଣ ନଜର ରହିଛି ।

586

କନକ ବ୍ୟୁରୋ: ଏଥର କାହାର ହେବ ଆସିକା ଲୋକସଭା ଆସନ? ଏଭଳି କିଛି ପ୍ରଶ୍ନ ଏବେ ଆସିକା ସଂସଦୀୟ କ୍ଷେତ୍ରବାସୀଙ୍କ ମନକୁ ଉଙ୍କି ମାରୁଛି । ତେବେ ଗଞ୍ଜାମ ଜିଲ୍ଲାର ଆସିକା ସ˚ସଦୀୟ କ୍ଷେତ୍ରରୁ ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ତାଙ୍କ ରାଜନୈତିକ ଜୀବନ ଏହି ଆସନରୁ ଆରମ୍ଭ କରିଥିଲେ । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଆସିକା ସ˚ସଦୀୟ କ୍ଷେତ୍ର ଉପରେ ସବୁ ରାଜନୈତିକ ଦଳର ତୀକ୍ଷ୍ଣ ନଜର ରହିଛି । ବିରୋଧୀ ଏହି ଆସନକୁ କବଜାକୁ ନେବାକୁ ବଳ କଷୁଥିବାବେଳେ ଶାସକ ବିଜେଡିକୁ ଚିନ୍ତାରେ ପକାଇଛନ୍ତି ମାଳମାଳ ଆଶାୟୀ ।

୭ଟି ବିଧାନସଭା କ୍ଷେତ୍ରକୁ ନେଇ ଏହି ଆସିକା ସ˚ସଦୀୟ କ୍ଷେତ୍ର ଗଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଆସନ ହିଞ୍ଜିଳି ଏହି ସ˚ସଦୀୟ କ୍ଷେତ୍ର ମଧ୍ୟରେ ରହିଛି । ଏହି ଦୃଷ୍ଟିରୁ ଉକ୍ତ ସ˚ସଦୀୟ କ୍ଷେତ୍ର ଅନେକ ଗୁରୁତ୍ବ ବହନ କରେ। ୧୯୯୬ରେ ବିଜୁ ବାବୁ (ଜନତା ଦଳ), ୧୯୯୭ ମସିହାରେ ନବୀନ ପଟ୍ଟନାୟକ (ଜନତା ଦଳ) ଏହାପରେ ୧୯୯୮ ପରଠାରୁ ବିଜେଡି  ଏହି ସ˚ସଦୀୟ କ୍ଷେତ୍ରକୁ କବଜା କରି ରଖିଛି । ୨୦୧୪ ସାଧାରଣ ନିର୍ବାଚନରେ ଏହି ସ˚ସଦୀୟ କ୍ଷେତ୍ରରୁ ବିଜୁ ଜନତା ଦଳର ପ୍ରାର୍ଥୀ ଲଡୁ କିଶୋର ସ୍ବାଇଁ ଲଢି ବିଜୟୀ ହୋଇଥିଲେ । ଗତ ଫେବୃୟାରୀ ୫ ତାରିଖରେ ସା˚ସଦଙ୍କର ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି।

ଆସନ୍ତା ସାଧାରଣ ନିର୍ବାଚନରେ ଏହି ସ˚ସଦୀୟ କ୍ଷେତ୍ରରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବ˚ କ˚ଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି । ବିଜେପିର ଆଶାୟୀ ମଧ୍ୟରେ ଅଛନ୍ତି ଗତ ନିର୍ବାଚନରେ ଲଢି ତୃତୀୟ ସ୍ଥାନରେ ରହିଥିବା ମହେଶ ମହାନ୍ତି, ବିଜେପିର ଘୁମୁସର ସା˚ଗଠନିକ ଜିଲ୍ଲା ସଭାପତି ସୂର୍ଯ୍ୟକାନ୍ତ ଦାସ ମଧ୍ୟ ବିଜେପି ଟିକେଟ୍ ଦୌଡ଼ରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ମଧ୍ୟ ଆଶାୟୀ ରହିଥିବା ଶୁଣିବାକୁ ମିଳୁଛି। କାରଣ ପୂର୍ବରୁ ତାଙ୍କ ମାଆ କୁମୁଦିନୀ ପଟ୍ଟନାୟକ ମଧ୍ୟ ଏହି ଆସନରୁ ପ୍ରତିନିଧିତ୍ବ କରୁଥିଲେ । ତେଣୁ ଅନୀତାଙ୍କୁ ପ୍ରାର୍ଥୀ କରି ବିଜେଡିରେ ଭୋଟ୍ ବିଭାଜନ କରିବା ଲକ୍ଷ୍ୟରେ ରହିଛି ବିଜେପି ।

ସେପଟେ ଦୀର୍ଘ ୨୦ବର୍ଷ ଧରି ଏହି ଆସନକୁ ଦଖଲରେ ରଖି ଆସିଥିବା ବିଜେଡି ଏହି ଆସନ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ ରହିଛି । କିନ୍ତୁ ଅନେକ ଆଶାୟୀ ଦଳ ପାଇଁ ଚିନ୍ତାର ବିଷୟ ହେଲେଣି । ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାମ ଚର୍ଚ୍ଚାରେ ରହିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କ˚ଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଓ ତାଙ୍କୁ ବ୍ରହ୍ମପୁର ଆସନ ମିଳିପାରେ। ତେଣୁ ଲୋକପ୍ରିୟ ତାରକା ସିଦ୍ଧାନ୍ତଙ୍କୁ ଏହି ଟିକେଟ୍ ମିଳିପାରେ ବୋଲି ଶୁଣିବାକୁ ମିଳୁଛି । ଏମାନଙ୍କ ବ୍ୟତୀତ ଆସିକା ଲୋକସଭା ଆସନରୁ ପୂର୍ବତନ ସାଂସନ ନିତ୍ୟାନନ୍ଦ ପ୍ରଧାନ, ବିଜେଡି ଜିଲ୍ଲା ଉପସଭାପତି ଅରୁଣ ପଣ୍ତା, ମନୋରଞ୍ଜନ ପଣ୍ତା, ପୂର୍ବତନ ମନ୍ତ୍ରୀ ଉଷାରାଣୀ ପଣ୍ତାଙ୍କ ପୁଅ ଓ ଝିଅ ଆଶାୟୀ ଥିବା ଚର୍ଚ୍ଚା ହେଉଛି।

ପୂର୍ବରୁ କିଛି ଦଶନ୍ଧି ଧରି ଆସିକା ସ˚ସଦୀୟ କ୍ଷେତ୍ରକୁ ନିଜ ଦଖଲରେ ରଖିଥିବା କ˚ଗ୍ରେସ ମଧ୍ୟ ଏଥର ଗୋଟିଚାଳନା କରୁଛି । ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ କ˚ଗ୍ରେସ-ସିପିଆଇ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଆସିକା ଲୋକସଭା ଆସନ ପାଇଁ ସିପିଆଇ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି । ସିପିଆଇ ପାଇଁ ଆସିକାରୁ ରାମକୃଷ୍ଣ ପଣ୍ତା ପ୍ରାର୍ଥୀ ହେବେ ବୋଲି  ନିଷ୍ପତି ହୋଇଛି କରିଛି ସିିପିଆଇ । ସେପଟେ ଯଦି ମେଣ୍ଟ ନହୁଏ କଂଗ୍ରେସର ଦୁଇ ବରିଷ୍ଠ ନେତା ଲୋକନାଥ ରଥ ଓ ନିରଞ୍ଜନ ପାଣିଗ୍ରାହୀଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯାଇପାରେ । ଏବେ କଂଗ୍ରେସ ଏବଂ ସିପିଆଇ-ମେଣ୍ଟ ଉପରେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଦଳର ନଜର ରହିଛି ।