ସାହସ ଦେଖାଇଲେ ନାବାଳିକା ! ନିଜ ଭବିଷ୍ୟତ ପାଇଁ ନେଲେ କଠୋର ନିଷ୍ପତ୍ତି ,ନିଜ ହାତରେ ଭାଙ୍ଗିଲେ ନିଜ ବାହାଘର

41

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଚଢିଆପଲ୍ଲୀର ନବମ ଶ୍ରେଣୀରେ ପଢୁଥିବା ଋତୁ ନାହାକ ଏବେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ପାଠ ପଢି ଭବିଷ୍ୟତରେ ଏକ ବଡ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଏହି ନାବାଳିକାଙ୍କର ବାହାଘର ଠିକ୍ ହୋଇସାରିଥିଲା । ନିର୍ବନ୍ଧ ଶେଷ ହେବା ପରେ ବିଚଳିତ ହୋଇ ପଡି ନିଜ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କୁ ଏନେଇ ସେ ଜଣାଇଥିଲେ । ପରେ ବ୍ରହ୍ମପୁର ଚାଇଲ୍ଡ ଲାଇନ୍ ସହ ଯୋଗାଯୋଗ କରାଯାଇଥିଲା । ଚାଇଲ୍ଡ ଲାଇନର କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ପରେ ବାହାଘର ବନ୍ଦ ହୋଇଛି ।

ଋତୁ ନାହାକଙ୍କ ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନାହିଁ । ତାଙ୍କ ବାପା ସୁଦୂର ସୁରତରେ କାମ କରନ୍ତି । ତେଣୁ ଝିଅକୁ ବାହା କରିଦେଇ ଦାୟିତ୍ୱମୁକ୍ତ ହେବାକୁ ଚାହୁଁଥିଲେ ପରିବାର ଲୋକ । ହେଲେ ବିପଦ ସମୟରେ ଭାଙ୍ଗି ନପଡି ସାହସ ଦେଖାଇଛନ୍ତି ଋତୁ । ନିଜକୁ ୧୮ ବର୍ଷ ନହେବାଯାଏଁ ବାହା ହେବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଛନ୍ତି । ଏପରି ଏକ କାମ କରି ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ସାଜିଥିବା କହିଛନ୍ତି ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ । ଋତୁ ନାହାକଙ୍କ ଏପରି ସାହସ ଏବେ ଚର୍ଚ୍ଚାର ବିଷୟ ହୋଇଛି ।