ନୂଆ ଚେହେରା ହେଲେ କାହାଣୀ ପୁରୁଣା । ଓଡିଶା କ୍ରିକେଟ୍ ଆସୋସିଏସନର ସଂପାଦକ ହେଲେ ସଂଜୟ । ପୂର୍ବରୁ ଥିଲା ବାପା ଆଶୀର୍ବାଦଙ୍କ କବଜା, ଏବେ ପୁଅ ହାତକୁ ଆସିଲା ଓସିଏ ।

548

କନକ ବ୍ୟୁରୋ : ବାପା ଗଲେ ପୁଅ ଆସିଲେ । ବହୁ ବାଦବିବାଦ ପରେ ଆଜି ଶେଷ ହୋଇଛି ଓଡିଶା କ୍ରିକେଟ ଆସୋସିଏସନ, ଓସିଏର ନିର୍ବାଚନ । ଏଥିରେ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସଂଜୟ ବେହେରା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂଜୟ ହେଉଛନ୍ତି ପୂର୍ବତନ ଓସିଏ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁଅ । ଫଳରେ ବାପାଙ୍କ ପରେ ଏବେ ପୁଅଙ୍କ ହାତରେ ଓସିଏ ।

ବାପା ଗଲେ ପୁଅ ଆସିଲେ । ଆଶୀର୍ବାଦଙ୍କ ପରେ ସଂଜୟ । ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନରେ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସଂଜୟ ବେହେରା । ନିଜ ବାପା ଆଶୀର୍ବାଦ ବେହେରା ଦୀର୍ଘ ୧୬ ବର୍ଷ ଧରି ସଂପାଦକ ଭାବେ ମୁଖିଆ ହୋଇ ଓଡିଶା କ୍ରିକେଟ ଆସୋସିଏସନକୁ ପରିଚାଳନା କରୁଥିଲେ । ଏବେ ତାଙ୍କ ସାନ ପୁଅ ସଂଜୟ ସେହି ସ୍ଥାନ ନେଇଛନ୍ତି । ଅନ୍ୟ ପଟେ ଓସିଏର ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଭାବେ ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସଂପାଦକ ଭାବେ ମେହତାବ ଖାନ୍ ଏବଂ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ଓଡିଶା କ୍ରିକେଟ ଆସୋସିଏସନର ଏହି ପଦପଦବୀ ପାଇଁ କାହିଁକି ଏତେ ଆଗ୍ରହ ? ଏହି ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ସାରା ବିଶ୍ୱରେ କ୍ରିକେଟ ସଂଗଠନ ମଧ୍ୟରେ ବିସିସିଆଇ ସବୁଠାରୁ ଧନୀ ସଂଗଠନ । ପ୍ରତ୍ୟେକ ଖେଳରେ ହଜାର ହଜାର କୋଟିରେ ଆୟ କରୁଥିବା ବିସିସିଆଇ ଏହାର ଟଙ୍କା ରାଜ୍ୟ ସଂଗଠନ ଗୁଡିକୁ ଦେଇଥାଏ । ରାଜ୍ୟରେ କ୍ରିକେଟ ପ୍ରତିଭାର ବିକାଶ ଓ ଭିତିଭୂମି ପାଇଁ ପ୍ରଚୁର ମାତ୍ରାରେ ଟଙ୍କା ଆସିଥାଏ । ଆଉ ଏହି ଟଙ୍କାକୁ ଖର୍ଚ୍ଚ କରେ ରାଜ୍ୟ ସଂଗଠନ, ଓସିଏ ।

ଏଥର ୫ଟି ପଦବୀ ପାଇଁ ମୋଟ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଅନ୍ୟପଟେ ବହୁ ବାଦବିବାଦ ପରେ କେତେ ଜଣ ସଦସ୍ୟ ଭୋଟ ଦେବେ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଶେଷରେ ୭୩ ଜଣ ସଦସ୍ୟଙ୍କୁ ଭୋଟଦାନର ଅଧିକାର ମିଳିଥିଲା ।