ପୁଲୱାମା ପ୍ରସଙ୍ଗରେ ଭାରତକୁ ପ୍ରମାଣ ମାଗିବା ପରେ ଇମ୍ରାନଙ୍କ ସମର୍ଥନରେ ପାକ୍ ବୁଦ୍ଧିଜୀବି ! ରାଜନୀତିରେ କିନ୍ତୁ କଡ଼ା ବିରୋଧ ।

327

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ହମଲାକୁ ନେଇ ସାରା ବିଶ୍ୱ ଆତଙ୍କ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି  । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏ ପ୍ରସଙ୍ଗରେ ଭାରତ ଯଦି ଉପଯୁକ୍ତ ପ୍ରମାଣ ଦିଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ପାକିସ୍ତାନରୁ ଉଭୟ ସମର୍ଥନ ଓ ବିରୋଧାଭାସ ଦେଖିବାକୁ ମିଳିଛି  । ଏ ନେଇ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଜର୍ଦ୍ଦାରୀ କହିଛନ୍ତି ଇମ୍ରାନଙ୍କ ପ୍ରତିକ୍ରିୟା ଅପରିପକ୍ୱ ନେତାଙ୍କ ଭଳି । ସେପଟେ ଏହି ଘଟଣାରେ ପାକିସ୍ତାନର ବୁଦ୍ଧିଜିବୀ ଇମ୍ରାନ ଖାନଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

ଇମ୍ରାନଙ୍କ ସମର୍ଥନରେ ପାକ୍ ବୁଦ୍ଧିଜୀବି । ରାଜନୀତିରେ କିନ୍ତୁ କଡ଼ା ବିରୋଧ । ନୂଆଦିଲ୍ଲୀ ଯଦି ଉପଯୁକ୍ତ ପ୍ରମାଣ ଦିଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଇସଲାମାବାଦ । କିଛି ଏଭଳି ଶବ୍ଦରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଲୱାମା ଆତଙ୍କବାଦୀ ହମଲା ପ୍ରସଙ୍ଗରେ ବିବୃତି ଦେବା ପରେ ଏହାକୁ ପାକ୍ ବୁଦ୍ଧିଜୀବିଙ୍କ ସମର୍ଥନ ମିଳିଛି । ସେପଟେ ଏହାକୁ ରାଜନୈତିକ ମାହୋଲରେ ଅପରିପକ୍ୱ ଆଚରଣ କୁହାଯାଇଛି  । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍ ଜର୍ଦ୍ଦାରୀ ଇମ୍ରାନଙ୍କୁ କରିଛନ୍ତି ଟାର୍ଗେଟ୍  ।

ଅନ୍ୟପଟେ ଏହାକୁ ନେଇ ପିପିପି ନେତା କମର୍ ଜମନ୍ କାଇରା କହିଛନ୍ତି :-

– ଇମ୍ରାନଙ୍କ ବିବୃତି ପରିପକ୍ୱ ଓ ନିର୍ଭୁଲ । ଆତଙ୍କବାଦକୁ ପାକିସ୍ତାନ ସବୁବେଳେ ନିନ୍ଦା କରିଆସୁଛି ଓ ଭାରତକୁ ତଦନ୍ତର ପ୍ରସ୍ତାବ ଦେଇ ପାକିସ୍ତାନବାସୀଙ୍କ ମନକଥା କହିଛନ୍ତି ଇମ୍ରାନ୍  ।

ଆଇନଜୀବୀ ଜିବ୍ରାନ୍ ନିସାର୍ କହିଛନ୍ତି :-

– ପୁଲୱାମା ପ୍ରସଙ୍ଗରେ ଇମ୍ରାନଙ୍କ ବିବୃତି ପ୍ରଶଂସନୀୟ । ଅନେକ ଏହାକୁ ଭାରତକୁ କଡ଼ା ଜବାବ କହୁଥିବା ବେଳେ ଏହାକୁ ମୁଁ ସକାରାତ୍ମକ ସନ୍ଦେଶ ଦେଖୁଛି  ।

ପୂର୍ବ ସେନାଧିକାରୀ ତଲତ୍ ମାସୁଦ୍ କହିଛନ୍ତି :-

– ଏହା ଏକ ସକାରାତ୍ମକ ସନ୍ଦେଶ  । ଏହାଠାରୁ ଭଲ ପ୍ରସ୍ତାବ ଆଉ କିଛି ନ ହୋଇପାରେ  । ପାକ୍ ଉପରେ ଚାପ ପକାଇବା ଦ୍ୱାରା ଭାରତ ବିଶେଷ ଲାଭବାନ ହେବ ନାହିଁ  ।

ସାମ୍ବାଦିକ ଇଫତିଖାର୍ ଶେରାଜି କହିଛନ୍ତି :-

– ଯେତେବେଳେ ପ୍ରମାଣ କଥା ଉଠେ ସେତେବେଳେ ଭାରତ କେବେ ମଧ୍ୟ ଏହାକୁ ଗମ୍ଭୀରତାର ସହ ନିଏ ନାହିଁ  । ବିଜେପି ସରକାର ଚାପରେ ରହି ପାକ୍ ବିରୁଦ୍ଧରେ ବୟାନ ଦେଉଛନ୍ତି  ।

ପୁଲୱାମା ଆକ୍ରମଣକୁ ନେଇ ସାରା ବିଶ୍ୱ ଭାରତକୁ ସମର୍ଥନ କରୁଥିବା ବେଳେ ଇମ୍ରାନ ଖାନ୍ ଭାରତକୁ ମାଗିଛନ୍ତି ପ୍ରମାଣ  । ଆଉ ଏହି ବୟାନ୍ ଠିକ ସେତିକି ବେଳେ ଆସିଛି ଯେତେବେଳେ ପୁଲୱାମା ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ମାସୁଦ୍ ଆଝାର୍ ଅଛି ପାକିସ୍ତାନ ମାଟିରେ ଓ ଜୈସେର ନେଉଛି ନେତୃତ୍ୱ  ।