୨ଶହ ମିଟରରେ ପଦକ ପାଇଁ ଆଜି ଦୌଡିବେ ଦୂତି। ଜାତୀୟ କ୍ରୀଡା ଦିବସରେ କମାଲ ଆଶା । ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ଓଡିଶା ଝିଅ

31

କନକ ବ୍ୟୁରୋ: ରାକ୍ଷୀରେ ସେ ଦେଇଥିଲେ ରୁପା ଉପହାର। ଏବେ ଜାତୀୟ କ୍ରୀଡ଼ା ଦିବସରେ କମାଲ କରିବାର ସୁଯୋଗ ଉପନୀତ ହୋଇଛି। ଆଜି ମହାନ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ (ଯାହାକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ) ହୋଇଥିଲା ବେଳେ ଦୂତି ଆଜି ଅଷ୍ଟାଦଶ ଏସୀୟ କ୍ରୀଡ଼ାର ୨୦୦ ମିଟର ଫାଇନାଲରେ ଅବତୀର୍ଣ୍ଣ ହେବେ। ଏହି ନିଆରା ସଂଯୋଗକୁ ସ୍ମରଣୀୟ କରିବାକୁ ଦୂତି ଚେଷ୍ଟା କରିବେ। ରାକ୍ଷୀ ଭଳି କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ ଆଉ ଏକ ପଦକ ଉପହାର ଦେବା ଲକ୍ଷ୍ୟରେ ଟ୍ରାକକୁ ଓହ୍ଲାଇବେ।

ମଙ୍ଗଳବାର ଦୂତି ଉଭୟ ହିଟ୍ ଏବଂ ସେମିଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଫାଇନାଲ୍ ଯିବା ପରେ ୨୦୦ ମିଟରରେ ସେ ସ୍ୱର୍ଣ୍ଣ ଜିତିବା ଆଶା ସଂଚାର ହୋଇଛି। ସେମିଫାଇନାଲର ପ୍ରଦର୍ଶନ ଆଧାରରେ ଦୂତି (୨୩ ସେକେଣ୍ଡ) ମଧ୍ୟ ସଂପ୍ରତି ଏକ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ୧୦୦ ମିଟରର ସ୍ୱର୍ଣ୍ଣ ପଦକ ବିଜୟିନୀ ବାହାରିନର ଓଡିନୋଗ ଏଦିଦିଓଙ୍ଗ ଅଛନ୍ତି। ଆଜି ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଦୁଇଟି ପଦକ ଜିତିବା ସହ ଦୂତିଙ୍କ ପାଖରେ ଏଦିଦିଓଙ୍ଗଙ୍କ (୨୩.୧ ସେକେଣ୍ଡ)ଠାରୁ ୧୦୦ ମିଟର ପରାଜୟର ପ୍ରତିଶୋଧ ସୁଯୋଗ ବି ରହିବ। ସେହିଭଳି ପ୍ରଥମ ତିନି ସ୍ଥାନରେ ରହି ପାରିଲେ ଦୂତି ଏସୀୟ କ୍ରୀଡ଼ାର ଉଭୟ ୧୦୦ ଏବଂ ୨୦୦ ମିଟରରେ ପଦକ ଜିତିବାରେ ପ୍ରଥମ ଓଡ଼ିଆ ହେବେ।

ଦୁଇ ଶହ ମିଟର ସେମିଫାଇନାଲ୍ ଶେଷ ହୋଇଛି। ପ୍ରଥମ ସ୍ଥାନରେ ରହିଥିବାରୁ ବହୁତ ଖୁସି ଲାଗୁଛି। ଗତକାଲିର ଦୌଡ଼ରେ ବହୁତ ଭଲ ଓ ପ୍ରତିଭାବାନ ଧାବିକା ଥିଲେ। ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିବା ଓଡିନୋଗ ଏଦିଦିଓଙ୍ଗ ଓ ଚୀନର କଙ୍ଗ ଲିଗେଓ୍ଵଇଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା। ତଥାପି ମୁଁ ଭଲ ଟାଇମିଂ ପାଇଛି। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବାରୁ ଗର୍ବ ଅନୁଭବ କରୁଛି। ଆପଣମାନଙ୍କର ସହଯୋଗ ଓ ଭଲପାଇବା ମୋ ସହ ଅଛି। ସ୍ୱର୍ଣ୍ଣ ଜିତିବି ବୋଲି ଆଶା ରଖିଛି। ଭଗବାନଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ସମର୍ଥନ ମିଳିଲେ ଏହି ଲକ୍ଷ୍ୟ ପୂରଣ କରି ପାରିବି ବୋଲି ଭାବୁଛି। ଭଲ ପ୍ରସ୍ତୁତି କରିଛି। ପ୍ରଶିକ୍ଷକ ନାଗପୁରୀ ରମେଶ ବି ମୋ ପାଖେ ପାଖେ ଅଛନ୍ତି। ତାଙ୍କ ମାର୍ଗଦର୍ଶନକୁ ପାଥେୟ କରି ଆଗକୁ ବଢ଼ୁଛି। ଶେଷରେ କ୍ରୀଡ଼ା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ସହଯୋଗ ଏବଂ ଭଲ ପାଇବା ପାଇଁ ସମଗ୍ର ଓଡ଼ିଶାବାସୀଙ୍କୁ ଧନ୍ୟବାଦ ବୋଲି ୨୦୦ ମିଟରର ଫାଇନାଲରେ ପ୍ରବେଶ କରିବା ପରେ ଦୂତି କହିଛନ୍ତି।