ହକି ଦେଇଛି ପରିଚୟ : ଜାକର୍ତ୍ତାରୁ ରୂପା ଆଣିଥିବା ସୁନା ଝିଅଙ୍କ ଅଭାବୀ ପରିବାରର ହାଲ ସୁଧାରିଛି ହକି

54

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ଜିତିବା ପରେ ସମସ୍ତଙ୍କ ମୁହଁରେ ସୁନ୍ଦରଗଡର ଚାରି ସୁନା ଝିଅଙ୍କ କଥା । ସୁନ୍ଦରଗଡର ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପଗ୍ରେସ ଏକ୍କା ପୁଣି ଜିଲ୍ଲା ସହ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ଅଲମ୍ପିକ ଓ ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଟିମରେ ହକି ଖେଳି ଚର୍ଚ୍ଚାକୁ ଆସିଥିବା ୪ ଓଡିଆ ଝିଅଙ୍କ ମଧ୍ୟରୁ ଦୀପଗ୍ରେସ ଏକ୍କା ଅନ୍ୟତମ । ଆସନ୍ତୁ ଏହି ମହିଳା ହକି ଖେଳାଳୀଙ୍କ ଗାଁରୁ ଜାଣିବା ଅକ୍ଷାତ ପଲ୍ଲୀରୁ ଆର୍ନ୍ତଜାତୀୟ ସ୍ତରକୁ ଯାତ୍ରାର କାହାଣୀ ।

ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ଝାରଖଣ୍ଡ ଓ ଛତିଶଗଡ ସୀମାନ୍ତ ବ୍ରାହ୍ମଣୀପାଲି ଗାଁକୁ ମିଳିଛି ନୂଆ ପରିଚୟ । ଆଜି ଏ ଗାଁ ଭାରତ ମାନଚିତ୍ରରେ ଏଥିପାଇଁ ପରିଚିତ ଯେ, ଏହି ଗାଁର ଝିଅ ଦୀପଗ୍ରେସ ଏକ୍କା ୧୮ତମ ଏସିଆଡ ଗେମରେ ହକି ଖେଳି ଦେଶ ପାଇଁ ପଦକ ଆଣିଛନ୍ତି ।

ବ୍ରାହ୍ମଣୀପାଲିର ଚାଲର୍ସ ଏକ୍କା ଓ ଜୟମଣି ଏକ୍କାଙ୍କ ଝିଅ ଦୀପଗ୍ରେସ ବହୁ କଷ୍ଟରେ ହକି ଖେଳକୁ ଆପଣେଇ ପାରିଛନ୍ତି । ଚାଷୀ ପରିବାରର ଝିଅକୁ ଦିନେ ଜୋତା ଆଉ ଖେଳ ସାମଗ୍ରୀ ଯୋଗାଇ ପାରୁନଥିବା ପରିବାରର ଆର୍ଥିକ ସ୍ଥିତି ସୁଧାରିଛି ଝିଅର ସଫଳତା । ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିବାରୁ ଦୀପଗ୍ରେସଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗୁଣ୍ଠେ ଜମିରେ ଚାଷ କରି ଝିଅକୁ ଖେଳ ଶିଖାଇବା ଚାଲର୍ସ ଏକ୍କା ପାଇଁ ଥିଲା କାଠକର ପାଠ । ତଥାପି ପିଲା ବେଳୁ ଦୀପଗ୍ରେସଙ୍କ ଖେଳ ପ୍ରତିଥିବା ଅହେତୁକ ଆଗ୍ରହ ଦେଖି ଆଗକୁ ବଢିଥିଲା ପରିବାର । ପେଟ ମାରି ଝିଅକୁ ଖେଳ ଶିଖାଇବା ପାଇଁ ସୁନ୍ଦରଗଡ ସାଇ ହଷ୍ଟେଲକୁ ପଠାଇଥିଲା ପରିବାର ।

ହକିରେ ସୁନାମ ଆଣିଥିବା ଇଗ୍ନେଶ ତିର୍କୀ, ପ୍ରବୋଧ ତୀର୍କି, ବନିତା ଟପ୍ପୋଙ୍କ ଭଳି ଖେଳାଳୀଙ୍କ ଠାରୁ ଅନୁପ୍ରାଣିତ ହୋଇଛନ୍ତି ଦୀପଗ୍ରେସ । ୨୦୧୧ ମସିହାରେ ୧୮ ବର୍ଷରୁ କମ ଏସିଆ କପ୍ ବ୍ୟାଙ୍କକରେ ଖେଳି ଅର୍ନ୍ତଜାତୀୟ ସ୍ତରରେ ପଦାର୍ପଣ କରିଥିଲେ । ଏହାପରେ ଦୀପଗ୍ରେସ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।