ଆଜିଠାରୁ ଏସିଆନ ହକି ଚାମ୍ପିୟନସିପ୍ । ଆୟୋଜକ ଓମାନ ସହିତ ମୁହାଁମୁହିଁ ହେବ ଭାରତ । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଲକ୍ଷ୍ୟରେ ଭାରତୀୟ ଦଳ ।

40

କନକ ବ୍ୟୁରୋ: ଆଜିଠାରୁ ଓମାନର ମସକାଟ୍ ଠାରେ ହକି ଏସିଆନ ଚାନମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ଆୟୋଜକ ଓମାନ ସହିତ ମୁହାଁମୁହିଁ ହେବ। ଗତଥର ବିଜେତା ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଭାରତୀୟ ଟିମ ନିକଟରେ ଏସୀୟ କ୍ରୀଡ଼ାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ସେଥିପାଇଁ ଭାରତକୁ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତେଣୁ ଆଜି ସୁଲତାନ କାବୁସ ସ୍ପୋର୍ଟ୍ସ ପରିସରରେ ଖେଳାଯାଉଥିବା ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଯଦି ଆମ୍ଭେ ଇତିହାସକୁ ଦେଖିବା ଗତ ଦୁଇ ମାସ ପୂର୍ବେ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଏସୀୟ କ୍ରୀଡ଼ାରେ ଓମାନକୁ ଧୂଳି ଚଟାଇଥିଲା ଭାରତୀୟ ପୁରୁଷ ହକି ଟିମ୍ । ସେହି ମ୍ୟାଚରେ ଭାରତ ପ୍ରତିପକ୍ଷ ଦଳ ଓମାନକୁ ୭-୦ ଗୋଲରେ ପରାସ୍ତ କରିଥିଲା । କିନ୍ତୁ ଭାରତର ସେହି ସମୟର ଟିମ ଓ ବର୍ତ୍ତମାନ ଟିମ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । କାରଣ ସେହି ସମୟରେ ଅଭିଜ୍ଞ ଖେଳାଳି ସର୍ଦ୍ଦାର ସିଂହ ଟିମରେ ସାମିଲ ଥିଲେ କିନ୍ତୁ ଏବେ ସେ ସନ୍ୟାସ ନେଇ ସାରିଛନ୍ତି । ତେଣୁ ହୁଏତ କିଛି ଫରକ ନଜର ଆସିପାରେ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ପୂର୍ବତନ ତଥା ଭାରତୀୟ ହକି ଜଗତରୁ ସନ୍ୟାସ ନେଇଥିବା ସର୍ଦ୍ଦାର ସିଂହଙ୍କ ପରିବର୍ତ୍ତେ ଯୁବ ଅଧିନାୟକ ମନପ୍ରୀତ ସିଂହଙ୍କୁ ଅଧିକ ଚାପ ପଡ଼ିପାରେ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏହା ପରେ  ଭାରତ ନିଜର ୨ୟ ମ୍ୟାଚ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅକ୍ଟୋବର ୨୦ରେ ଭେଟିବାକୁ ଯାଉଛି  । ଯାହା ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ ଏହା ପୂର୍ବରୁ ଆୟୋଜକ ଓମାନ ସହିତ ହେବାକୁଥିବା ମ୍ୟାଚଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ।