ଡୋପ୍‌ ପରୀକ୍ଷାରେ ଧରାପଡ଼ିଲେ ମନ୍‌ପ୍ରୀତ୍‌ !

14

କନକ ବ୍ୟୁରୋ : ଚଳିତ ମାସରେ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଥିବା ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସଟ୍‌ପୁଟ୍‌ ସ୍ୱର୍ଣ୍ଣ ଜିତିଥିବା ମନ୍‌ପ୍ରୀତ୍‌ କାଉର ଡୋପ୍‌ ପରୀକ୍ଷାରେ ବିଫଳ ହୋଇଛନ୍ତି । ସେ ନିଷିଦ୍ଧ ଔଷଧ ଷ୍ଟିମୁଲାଣ୍ଟ୍‌ ଡାଇମେଥିଲବୁଟିଲାମିନେ ସେବନ କରିଥିବା ପରୀକ୍ଷାରୁ ଜଣାପଡ଼ିଛି । ଜୁନ୍‌ ୧ରୁ ୪ ତାରିଖ ପର୍ଯ୍ୟନ୍ତ ପଟିଆଲାରେ ଆୟୋଜିତ ଫେଡେରେସନ୍‌ କପ୍‌ ଜାତୀୟ ପ୍ରତିଯୋଗିତା ଅବସରରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା (ନାଡା)ର ଅଧିକାରୀମାନଙ୍କ ଦ୍ୱାରା ସଂଗୃହୀତ ମୂତ୍ର ନମୂନାର ପରୀକ୍ଷା କରାଯାଇଥିଲା।

ଓ୍ଵାଡା ବିଧି ବ୍ୟବସ୍ଥା ଅନୁଯାୟୀ ଡାଇମେଥିଲବୁଟିଲାମିନେ ଏକ ନିର୍ଦିଷ୍ଟ ଔଷଧ ଯାହାକି ସିଧାସଳଖ କାହାକୁ ଫାଇଦା ଦେଇନଥାଏ ବୋଲି କୁହାଯାଉଥିବାରୁ ଭାରତୀୟ ଦୌଡ଼କୁ ସଂଘ (ଏଏଫ୍‌ଆଇ) ମନ୍‌ପ୍ରୀତ୍‌ଙ୍କ ଉପରେ କୌଣସି ଅସ୍ଥାୟୀ ନିଲମ୍ବନ ଲାଗୁ କରିନାହିଁ । ହେଲେ ସେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କଠାରୁ ଏସୀୟ ସ୍ୱର୍ଣ୍ଣ ପଦକ ପ୍ରତ୍ୟାହାର କରି ନିଆଯିବ। ଏପରିକି ତାଙ୍କୁ ମଧ୍ୟ ୪ ବର୍ଷ ବାସନ୍ଦ ହେବାକୁ ପଡ଼ିବ ବୋଲି ‘ନାଡା’ର ମହସଚିବ ନବୀନ ଅଗ୍ରଓ୍ଵାଲ୍‌ କହିଛନ୍ତି । ଏବେ ମନ୍‌ପ୍ରୀତ୍‌ଙ୍କୁ ଲିଖିତ ଭାବେ ନାଡା ନିକଟରେ ବିବୃତି ରଖିବାକୁ ହେବ । ନାଡା ଯଦି ତାଙ୍କ ବିବୃତିରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ଏହି ମାମଲାର ଶୁଣାଣି ହେବ । ଶୁଣାଣି ପାଇଁ ଗଠିତ ଶୃଙ୍ଖଳାଗତ ସମିତିର ନିଷ୍ପତ୍ତିି ଉପରେ ମନ୍‌ପ୍ରୀତ୍‌ଙ୍କ ଭାଗ୍ୟ ନିର୍ଭର କରିବ। ଦୋଷୀ ସାବ୍ୟସ୍ତ ହେଲେ ପଦକ ହରାଇବା ସାଙ୍ଗକୁ ବାସନ୍ଦ ଦଣ୍ଡ ଭୋଗିବେ । ନିର୍ଦୋଷ ହେଲେ ଖେଳ ଜାରି ରଖିବେ ବୋଲି ଅଗ୍ରଓ୍ଵାଲ୍‌ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ମନ୍‌ପ୍ରୀତ୍‌ ଆସନ୍ତା ମାସରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଛନ୍ତି । ଫଳରେ ଏବେ ତାଙ୍କର ବିଶ୍ୱ ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏହି ଘଟଣା ଭାରତ ପାଇଁ ଲଜ୍ଜାକର ସ୍ଥିତି ସୃଷ୍ଟି କରିଛି । ତେବେ ଡୋପ୍‌ ପରୀକ୍ଷାରେ ବିଫଳ ହେବା ନେଇ ସେ କୌଣସି ସୂଚନା ପାଇନାହାନ୍ତି ବୋଲି ମନ୍‌ପ୍ରୀତ୍‌ଙ୍କ ସ୍ୱାମୀ ତଥା ତାଙ୍କ ପ୍ରଶିକ୍ଷକ କରମ୍‌ଜିତ୍‌ କାଉର କହିଛନ୍ତି । ଆମେ ସୂଚନା ପାଇଲା ପରେ ଯାହା କିଛି କରିବୁ ବୋଲି ସେ କହିଛନ୍ତି ।