ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ରେକର୍ଡ ! ୪୫ ଦେଶରୁ ଆସିବେ ୮୧୫ ଜଣ ଖେଳାଳି

53

କନକ ବ୍ୟୁରୋ : ଆସନ୍ତା ୬ରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସିଆନ୍ ଆଥଲେଟିକ୍ସ ଚାମ୍ଫିଆନସିପ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ଅର୍ଥ ସହଯୋଗରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗୀତା ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଶୁକ୍ରବାର ସଚିବାଳୟରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତି ହୋଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଖେଳାଳିମାନଙ୍କ ସୁରକ୍ଷା ଏବଂ ସୁବିଧାସୁଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଖେଳାଳି ଓ ସେମାନଙ୍କ ସହ ଆସୁଥିବା କୋଚ୍ ଓ ଅନ୍ୟ ଅଫିସର୍ସଙ୍କୁ ସର୍ବୋତ୍ତମ ସୁବିଧା ପ୍ରଦାନ କରାଯିବ ବୋଲି ବୈଠକରେ କହିଛନ୍ତି କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ବିଶାଲ ଦେବ ।

ବର୍ତ୍ତମାନ ସୁଦ୍ଧା ୪୫ଟି ଦେଶର ୧୧୦୪ ଜଣ ଆଥଲେଟ୍ ଭୁବନେଶ୍ୱର ଆସିବା ପାଇଁ ପଞ୍ଜିକୃତ କରିସାରିଲେଣି । ସେମାନଙ୍କ ମଧ୍ୟରୁ ୮୧୫ ଜଣ ଖେଳାଳି ଅଛନ୍ତି । ପୁରୁଷ ଖେଳାଳିଙ୍କ ସଂଖ୍ୟା ୫୦୫ ଥିବାବେଳେ ୩୧୦ ଜଣ ମହିଳା ଖେଳାଳି ଅଛନ୍ତି । ଭୁବନେଶ୍ୱର ରେଳଷ୍ଟେସନ ଏବଂ ବିମାନବନ୍ଦରରେ ବିଶେଷ ଅଭ୍ୟର୍ଥନା କାଉଂଟର ଖୋଲାଯିବ ବୋଲି ଏଥିରେ କୁହାଯାଇଛି । ଷ୍ଟାଡିୟମ ଏବଂ କ୍ୟାପିଟାଲ ହପ୍ସିଟାଲରେ ମେଡିକାଲ କଂଟ୍ରୋଲ ରୁମ୍ ଜୁଲାଇ ପହିଲାରୁ ୧୧ ତାରିଖ ଯାଏଁ କାର୍ଯ୍ୟ କରିବ ।

ବାଂଲାଦେଶ ଖେଳାଳି ପହଂଚି ସାରିଥିବାବେଳେ ଜୁଲାଇ ୨ରୁ ଅନ୍ୟ ଦେଶର ଖେଳାଳିମାନେ ଆସିବା ଆରମ୍ଭ କରିବେ । ୫ ତାରିଖରେ ଉଦଘାଟନୀ ଓ ୯ ତାରିଖରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଇତି ମଧ୍ୟରେ ଆନ୍ତର୍ଜାତିକ ଆଥଲେଟିକ୍ସ ଆସୋସିଏସନର ଟେକନିକାଲ କମିଟ୍ କଳିଙ୍ଗ ଷ୍ଟାଡିୟମ୍ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛି ।

ଅନ୍ୟପଟେ, ଏହି ବଡ ପ୍ରତିଯୋଗୀତା ସକାଶେ ଗୁରବାର ଦିନରୁ ଅନଲାଇନରେ ଟିକେଟ୍ ବିକ୍ରୀ ଆରମ୍ଭ ହୋଇଯାଇଛି । ଇଭେଂଟନାଓ ୱେବସାଇଟରେ ଏହା ଉପଲବ୍ଧ ହେଉଛି । ଷ୍ଟାଡିୟମର ପ୍ରଥମ ମହଲା ବ୍ଲକ୍ ସି ଅଂଚଳ ପାଇଁ ଦିଆଯାଇଛି ଟିକେଟର ମୂଲ୍ୟ ୫୦ ଟଙ୍କା ରଖାଯାଇଛି ।