ଭୁବନେଶ୍ୱରରେ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ : ବିଦେଶୀ ପର୍ଯ୍ୟଟକଙ୍କୁ ବୁଲାଇବେ ୧୭୦ ଚାଳକ

32

କନକ ବ୍ୟୁରୋ : ଏସିଆନ୍‌ ଆଥ୍‌ଲେଟିକ୍‌ସ ଚାମ୍ପିୟନ୍‌ସିପ୍‌ ପାଇଁ ୪୫ଟି ଦେଶରୁ ୮୧୫ ଖେଳାଳି ଓ ୨୮୦ ବୈଷୟିକ ଅଧିକାରୀଙ୍କ ସମାଗମ ହେବ । ବହୁ ବିଦେଶୀ ପର୍ଯ୍ୟଟକ ଖେଳ ଉପଭୋଗ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିବେ । ଖେଳାଳି ଓ ପର୍ଯ୍ୟଟକଙ୍କ ସମ୍ମୁଖରେ ପର୍ଯ୍ୟଟନସ୍ଥଳୀର ବ୍ରାଣ୍ଡିଂ ପାଇଁ ୪ କୋଟି ଟଙ୍କା ଖର୍ଚ ହେବ। ସେମାନେ ଯେପରି ଓଡ଼ିଶା ପ୍ରତି ଆକୃଷ୍ଟ ହୋଇ ଓଡ଼ିଶାକୁ ବାରମ୍ବାର ଆସିବା ସହ ଏହାର ସୁନାମକୁ ବାହାରେ ପହଞ୍ଚାଇବେ ତାହା ଉପରେ ଗୁରୁତ୍ୱ ଦେଇଛି ଓଟିଡିସି ।

ମିଳିଥିବା ସୂଚନା ଅନୁଯାୟୀ ଅତିଥି ଦେବୋ ଭବଃ ସ୍ଳୋଗାନକୁ ସାକାର ରୂପ ଦେବା ପାଇଁ ଏହା ସବୁଠୁ ଭଲ ସୁଯୋଗ ହୋଇଥିବାରୁ ପ୍ରତି ପର୍ଯ୍ୟଟକଙ୍କୁ ଗୁରୁତ୍ୱ ଦିଆଯିବ । ବିଶେଷକରି ସେମାନଙ୍କୁ ବସ୍‌ରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେବା ଆଣିବା କରିବା ପାଇଁ ନିୟୋଜିତ ବସ୍‌ ଚାଳକମାନେ କିଭଳି ନିଜର ଦାୟିତ୍ୱ ଠିକ୍‌ ଭାବେ ତୁଲାଇବେ ସେଥିପାଇଁ ପାନ୍ଥନିବାସ ପରିସରରେ ୧୨୦ ବସ୍‌ ଚାଳକଙ୍କୁ ସଚେତନ କରାଯାଇଛି । ବସ୍‌ ଚାଳକମାନେ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ ମାସ୍କଟ୍‌ଯୁକ୍ତ ସ୍ୱତନ୍ତ୍ର ‘ଜାକେଟ୍‌’ ପରିଧାନ କରିବେ । ପର୍ଯ୍ୟଟକମାନେ ବିଭିନ୍ନ ଭାଷାଭାଷୀ ହୋଇଥିବାରୁ ସେମାନଙ୍କ ସହ ବସ୍‌ ଚାଳକମାନେ ସାଙ୍କେତିକ ଭାଷାରେ ଭାବ ଆଦାନ ପ୍ରଦାନ କରିବେ । ପ୍ରତ୍ୟେକ ଗାଡ଼ିରେ ଜିପିଏସ୍‌ ବ୍ୟବସ୍ଥା ରହିବ ।

ଚାଳକମାନେ କାମ ସମୟରେ ମୋବାଇଲ୍‌ ବ୍ୟବହାର କରିବେ ନାହିଁ । ପାନ କି ଗୁଟ୍‌ଖା ଖାଇବେ ନାହିଁ । ଏମାନଙ୍କୁ ପରିଚାଳନା କରିବା ପାଇଁ ଏକ କଣ୍ଟ୍ରୋଲ୍‌ ରୁମ୍‌ ଗଠନ କରାଯିବ । ସମସ୍ତଙ୍କୁ ସେମାନଙ୍କର ଗାଡ଼ିର ରୁଟ୍‌ ବତାଇ ଦିଆଯିବ। ଗାଡ଼ି ଚାଳକମାନେ ଗାଡ଼ିର ଫିଟ୍‌ନେସ୍‌, ଇନ୍‌ସୁରାନ୍ସ କ୍ଳିୟରାନ୍ସ, ପର୍‌ମିଟ୍‌ ପ୍ରମାଣପତ୍ର ଓ ବୈଧ ଡ୍ରାଇଭିଂ ଲାଇସେନ୍‌ସ ସବୁବେଳେ ମହଜୁଦ ରଖିବେ । ଓଟିଡିସିର ମହାପ୍ରବନ୍ଧକ ସାଇଦତ୍ତ ବିପ୍ଳବକେଶରୀ ପ୍ରଧାନଙ୍କ କହିବା ଅନୁଯାୟୀ, ବ୍ୟବହାର ଓ ଉତ୍ତରଦାୟିତ୍ୱ ପ୍ରତି ଓଟିଡିସିର ଗାଡ଼ି ଚାଳକମାନେ କିପରି ସାବଧାନତା ଅବଲମ୍ବନ କରିବେ ସେନେଇ ସେମାନଙ୍କୁ ସଚେତନ କରାଯାଇଛି । ପର୍ଯ୍ୟଟକଙ୍କୁ ଓଡ଼ିଶା ବାରମ୍ବାର ଆସିବା ପାଇଁ ଚାଳକମାନଙ୍କ ବ୍ୟବହାର ହିଁ ପ୍ରମୁଖ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।