ଏଏସଆଇର ସଫେଇ କରିପାରୁନି ସନ୍ତୁଷ୍ଟ !  ମନ୍ଦିରରୁ ବାହାରିଥିବା ପଥର ଗଲା କୁଆଡେ ? 

କୋଣାର୍କ ମନ୍ଦିରରେ ସାଧା ପଥର ଲାଗିବା ନେଇ ଏଏସଆଇ ଦେଲା ସଫେଇ । ଗତ ୧୫ ବର୍ଷ ଭିତରେ ହୋଇନି କୌଣସି ପରିବର୍ତନ, ଗାଇଡ ଲାଇନ ଅନୁସାରେ ଫାଙ୍କା ସ୍ଥାନରେ ଲଗାଯାଇଛି ସାଧା ପଥର

41

କନକ ବ୍ୟୁରୋ : କୋଣାର୍କ ସୂର୍ଯ୍ୟମନ୍ଦିରରୁ ଗୋଟିଏ ବି କାରୁକାର୍ଯ୍ୟପୂର୍ଣ୍ଣ ପଥର ବାହାର କରାଯାଇନାହିଁ । କେବଳ, ଖାଲି ସ୍ଥାନରେ ସାଦା ପଥର ଲଗାଯାଇଛି । ଆଜି ଏଭଳି ସ୍ପଷ୍ଟୀକରଣ ଦେଇଛି ଏଏସଆଇ । ଖାଲି ସେତିକି ନୁହେଁ, ପୁରୀ ସିଂହଦ୍ୱାର ଉପରେ ଲାଗିଥିବା ଦଶାବତାର ମୂର୍ତିକୁ ବି ମନ୍ଦିର କାମ ସରିବା ପରେ ଲଗାଯିବ ବୋଲି ଆର୍କିଓଲୋଜିକାଲ୍ ସର୍ଭେ ଅଫ ଇଣ୍ଡିଆ କହିଛି ।

କୋଣାର୍କ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଗାଏବ ନେଇ ତୁମ୍ବିତୋଫାନ ଭିତରେ ସ୍ପଷ୍ଟୀକରଣ ରଖିଛି ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ । ଏଏସଆଇ ଅଧିକାରୀ କହିଛନ୍ତି, ବିଶ୍ୱପ୍ରସିଦ୍ଧ କୋଣାର୍କରୁ ଖଣ୍ଡିଏ ବି କାରୁକାର୍ଯ୍ୟପୂର୍ଣ୍ଣ ପଥର ବାହାର କରାଯାଇନାହିଁ । କେବଳ ଖାଲି ଥିବା ସ୍ଥାନ ପୂରଣ ପାଇଁ ସେଠାରେ ସାଦା ପଥର ଲଗାଯାଇଛି । ସବୁକିଛି ଗାଇଡଲାଇନ୍ ଅନୁସାରେ ହୋଇଛି ।

ସୂକ୍ଷ୍ମ କାରୁକାର୍ଯ୍ୟରେ ସଜାଇ ହୋଇ ରହିଥିଲା ବିଶ୍ୱ ବିଖ୍ୟାତ ବ୍ଲାକ୍ ପାଗୋଡା । ହେଲେ ଆଜି ଏହାର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ସାଦା ପଥର । ଖାଲି ସେତିକି ନୁହେଁ ମନ୍ଦିରର ମୂଳରୁ ଚୂଳ ଯାଏଁ ଫାଟ ହୋଇଗଲାଣି । ବର୍ଷ ବର୍ଷ ଧରି କୋଣାର୍କର ରକ୍ଷଣାବେକ୍ଷଣ କରୁଛି ଏଏସଆଇ । ଅଭିଯୋଗ ହୋଇଛି, ରକ୍ଷଣାବେକ୍ଷଣ ଆଳରେ କୋଣାର୍କରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତି ଓ ପଥର ଗୁଡିକୁ ଏଏସଆଇ ଲୁଟ୍ କରିିଛି ।

ସେପଟେ ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଦଶାବତାର ମୂର୍ତି ବି ଗାଏବ ହୋଇଯାଇଛି । ତେବେ ସେହି ମୂର୍ତି ମରାମତି କାର୍ଯ୍ୟ ପାଇଁ କଢାଯାଇଥିଲା । ତାହା ସଂପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ମନ୍ଦିର ମରାମତି କାର୍ଯ୍ୟସରିଲେ ପୁନର୍ବାର ସ୍ଥାପନ କରାଯିବ ବୋଲି ଏଏସଆଇ କହିଛି । ଏସବୁ ଭିତରେ ପ୍ରଶ୍ନ ଉଠୁଛି, ସତ ଲୁଚାଉଛି କି ଏଏସଆଇ? ସତରେ କ’ଣ ପୂର୍ବରୁ ଖାଲି ସ୍ଥାନ ରହିଥିଲା? ନା’ ଭାଙ୍ଗି ଯାଇଥିବା କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ଲଗାଯାଇଛି ସାଦା ପଥର?

Comments are closed.