ଯୁବରାଜ ଓ ଗେଲଙ୍କୁ ପଛରେ ପକାଇଲେ ଅଶ୍ୱିନ, କିଙ୍ଗସ ଇଲେଭେନ ପଞ୍ଜାବର ଧରିଲେ ମଙ୍ଗ !

39

ଅଶ୍ୱିନଙ୍କ ହାତରେ ପଞ୍ଜାବ ଦଳର ମଙ୍ଗ । ଚଳିତ ଆଇପିଏଲ ସିଜିନରେ କିଙ୍ଗସ ଇଲେଭେନ ପଞ୍ଜାବ ଦଳର ନେତୃତ୍ୱ ନେବେ ଭାରତୀୟ ଅଫ ସ୍ପିନର ଆର. ଅଶ୍ୱିନ । ଅନେକ ଆଲୋଚନା ପରେ ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ଅଶ୍ୱିନଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେବାକୁ ନିଷ୍ପତି ନେଇଛି । ପଞ୍ଜାବ ଦଳରେ ବଡ ବଡ ଷ୍ଟାର କ୍ରିକେଟର ଥିଲେ ସୁଦ୍ଧା ଅଶ୍ୱିନଙ୍କ ଉପରେ ଭରସା କରିଛନ୍ତି ଟିମ୍ ମାଲିକ । ଯୁବରାଜ ସିଂହ, ଡେଭିଡ ମିଲର, କ୍ରିସ ଗେଲ, ଆରୋନ ଫିଞ୍ଚଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ଅଧିନାୟକ ଭାବେ ବାଜି ମାରି ନେଇଛନ୍ତି ଅଶ୍ୱିନ ।

ଅଧିନାୟକ ଭାବେ ଅଶ୍ୱିନଙ୍କର ମଧ୍ୟ ପୂର୍ବରୁ ଅଭିଜ୍ଞତା ରହିଛି । ଘରୋଇ ତାମିଲନାଡୁ ଟିମର ଅଧିନାୟକ ଭାବେ ଅଶ୍ୱିନ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ସେହି ଦୃଷ୍ଟିରୁ ଅଧିନାୟକ ପଦ ପାଇଁ ଅଶ୍ୱିନ ପ୍ରଥମ ପସନ୍ଦ ଥିଲେ । ଏହା ପୂର୍ବରୁ ଅଶ୍ୱିନ କହିଥିଲେ, ସେ ପୂର୍ବରୁ ମଧ୍ୟ ତାମିଲନାଡୁ କ୍ରିକେଟ ଦଳର ଅଧିନାୟକ ଥିଲେ । ତେଣୁ କିଙ୍ଗସ ଇଲେଭେନ ପଞ୍ଜାବର ଅଧିନାୟକ ପଦ ଯଦି ତାଙ୍କୁ ମିଳେ ତେବେ ଏହି ଭୂମିକାକୁ ମଧ୍ୟ ବେଶ ଭଲ ଭାବେ ପାଳନ କରିବେ ବୋଲି କହିଥିଲେ ।

୩୧ ବର୍ଷିୟ ଅଶ୍ୱିନ ତାମିଲନାଡୁର ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଟି-୨୦ରେ ଅଧିନାୟକ ଭାବେ ଅଶ୍ୱିନଙ୍କ କୌଣସି ଅଭିଜ୍ଞତା ନାହିଁ । ପ୍ରଥମ ଶ୍ରେଣୀ ମ୍ୟାଚରେ ଅଶ୍ୱିନ ୨ଟି ମ୍ୟାଚରେ ଅଧିନାୟକ ଭାର ତୁଲାଇଥିବା ବେଳେ ଗୋଟିଏରେ ବିଜୟ ହେବା ସହ ଗୋଟିଏରେ ପରାଜିତ ହୋଇଛନ୍ତି । ସେହିଭଳି ଲିଷ୍ଟ ଏ ବା ଘରୋଇ ଦିନିକିଆରେ ୧୫ଟି ମ୍ୟାଚରୁ ୧୨ଟି ଜିତିଥିବା ବେଳେ ତିନୋଟିରେ ପରାଜୟର ସାମ୍ନା କରିଛନ୍ତି ଅଶ୍ୱିନ । ଅଶ୍ୱିନ ପୂର୍ବରୁ ଚେନ୍ନାଇ ଟିମ ପାଇଁ ଖେଳୁଥିବା ବେଳ ଗତ ଦୁଇଟି ସିଜିନରେ ରାଇଜିଂ ପୁଣେ ସୁପରଜିଆଣ୍ଟସ ପକ୍ଷରୁ ଖେଳିଥିଲେ । କିନ୍ତୁ ଚଳିତ ଥର ଅଶ୍ୱିନ ଚେନ୍ନାଇ ବଦଳରେ ପଞ୍ଜାବ ପକ୍ଷରୁ ଖେଲୁଛନ୍ତି ।