ଆମ ଆଦମି ପାର୍ଟିକୁ ବଡ ଝଟକା : ଦଳ ଛାଡିଲେ ବରିଷ୍ଠ ନେତା ଆଶୁତୋଷ

52

କନକ ବ୍ୟୁରୋ : ଆମ ଆଦମି ପାର୍ଟିକୁ ବଡ ଝଟକା । ଦଳର ବରିଷ୍ଠ ନେତା ଆଶୁତୋଷ ଆଜି ସକାଳୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ସେ ନିଜେ ଏହି ଘୋଷଣା କରିଛନ୍ତି । ସାମ୍ବାଦିକରୁ ନେତା ବନିଥିବା ଆଶୁତୋଷ ଆଜି ଟ୍ୱିଟ କରି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଯେ, ସବୁ ଯାତ୍ରାର ଶେଷ ଥାଏ । ଆମ୍ ଆଦମି ପାର୍ଟି ସହ ଏକ ସୁନ୍ଦର ଓ କ୍ରାନ୍ତିକାରୀ ଯାତ୍ରା ଆଜି ଶେଷ ହୋଇଛି । ଏବଂ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଲେଖିଛନ୍ତି । ତେବେ ଏପରି ନିଷ୍ପତ୍ତି ସେ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ନେଇଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଯେଉଁମାନେ ତାଙ୍କୁ ସମର୍ଥନ ଜଣାଇଥିଲେ ସମସ୍ତଙ୍କୁ ଧନ୍ୟବାଦ ବୋଲି ଲେଖିଛନ୍ତି । ତେବେ ରାଜ୍ୟସଭା ପଠାଇବା ନେଇ ଆଶୁତୋଷ ଓ ଦଳ ମଧ୍ୟରେ ବିବାଦ ଦେଖାଦେଇଥିଲା । ତେବେ ସେ ନିଜର ଏହି ନିଷ୍ପତ୍ତି ଉପରେ କୌଣସି ଟିପ୍ପଣୀ କରିବେ ନାହିଁ ବୋଲି ଗଣମାଧ୍ୟମରେ କହିଛନ୍ତି । ଆଶୁତୋଷ ଦଳ ଛାଡିବା ତାଙ୍କ ବ୍ୟକ୍ତିଗତ ନିଷ୍ପତି ବୋଲି ଆପ୍ ନେତା କହିଛନ୍ତି । ସେପଟେ ଆଶୁତୋଷଙ୍କ ଇସ୍ତାଫ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଆପ୍ ନେତା ପ୍ରଶାନ୍ତ ଭୂଷଣ । ଯେଉଁ ବ୍ୟକ୍ତିଙ୍କର ଆତ୍ମସମ୍ମାନ ଥିବ ସେ ଆପରେ ରହିପାରିବ ନାହିଁ ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି ।

ଆଶୁତୋଷ ଦଳ ଛାଡିବା ପରେ କୁମାର ବିଶ୍ୱାସ ପୁଣି ଥରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଜଣେ ପ୍ରତିଭା ସମ୍ପନ୍ନ ସହକର୍ମୀଙ୍କୁ ଷଡଯନ୍ତ୍ରପୂର୍ବକ ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି ସେ ଟ୍ୱିଟ କରି ଲେଖିଛନ୍ତି । ଏହାସହ ସ୍ୱାଧୀନତାର ଶୁଭେଚ୍ଛା ବୋଲି ମଧ୍ୟ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି କୁମାର ବିଶ୍ୱାସ । ୨୦୧୫ରେ ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଗଠନ ପରେ ଦଳ ଛାଡିଥିବା ନେତାଙ୍କ ମଧ୍ୟରେ ଚତୁର୍ଥ ବଡ ନାଁ ହେଉଛି ଆଶୁତୋଷଙ୍କର । ଏହା ପୂର୍ବରୁ ଆପର ଯୋଗେନ୍ଦ୍ର ଯାଦବ, ପ୍ରଶାନ୍ତ ଭୂଷଣ ଓ ସାଜିୟା ଇଲ୍ମି ଭଳି ନେତା ଆମ୍ ଆଦମି ପାର୍ଟିରୁ ଇସ୍ତଫା ଦେଇସାରିଛନ୍ତି । ଆଶୁତୋଷ ଦଳ ଛାଡିବା ଆପ୍ ପାଇଁ ଏକ ବଡ ଝଟକା ବୋଲି କଂଗ୍ରେସ କହିଛି ।

ସାମ୍ବାଦିକତା ଛାଡି ନେତା ବନିଥିଲେ ଆଶୁତୋଷ । ୨୦୧୪ ଜାନୁୟାରୀ ୧୧ରେ ଆମ୍ ଆଦମି ପାର୍ଟିରେ ସାମିଲ ହୋଇଥିଲେ । ଅନ୍ନା ହଜାରେଙ୍କ ଆନ୍ଦୋଳନ ସମୟରୁ ହିଁ ଦୁର୍ନୀତି ବିରୋଧୀ କ୍ୟାମ୍ପେନକୁ ଆଶୁତୋଷ ସମର୍ଥନ କରିଆସୁଛନ୍ତି । ଆନ୍ନାଙ୍କ ଜନଲୋକପାଳ ଆନ୍ଦୋଳନକୁ ନେଇ ଆଶୁତୋଷ ଏକ କବିତା ମଧ୍ୟ ଲେଖିଥିଲେ । ୨୦୧୪ଲୋକସଭା ନିର୍ବାଚନରେ ଆପ୍ ଟିକେଟରୁ ସେ ଦିଲ୍ଲୀର ଚାନ୍ଦନୀ ଚୌକରୁ ନିର୍ବାଚନ ମଧ୍ୟ ଲଢିଥିଲେ । କିନ୍ତୁ ବିଜେପିର ଡକ୍ଟର ହର୍ଷବର୍ଦ୍ଧନଙ୍କ ଠାରୁ ତାଙ୍କୁ ପରାଜୟ ହେବାକୁ ପଡିଥିଲା । ତେବେ ନିକଟରେ ରାଜ୍ୟସଭା ଆସନ ପାଇଁ ଆଶୁତୋଷ ଓ ଆମ୍ ଆଦମି ପାର୍ଟି ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ଏଥିପାଇଁ ସେ ଇସ୍ତଫା ଦେଇଥାଇ ପାରନ୍ତେ ବୋଲି ଚର୍ଚ୍ଚା ହେଉଛି ।