ଆଜି ବିଜେପିରେ ମିଶିବେ ବିଜେପୁରର ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀ ! ୩୦ ହଜାର କର୍ମୀଙ୍କୁ ଠୁଳ କରି ବିଜେପି କରିବ ଶକ୍ତି ପ୍ରଦର୍ଶନ

27

କନକ ବ୍ୟୁରୋ : ଆଜି ବିଜେପିରେ ମିଶିବେ ଆଶୋକ ପାଣିଗ୍ରାହୀ । ଅଶୋକଙ୍କ ସହ ତାଙ୍କର ହଜାର ହଜାର ସମର୍ଥକ ବି ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହେବେ । ବରଗଡ ବରପାଲିରେ ହେବ ବିରାଟ ସମାବେଶ । ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ଦୁଇ ଜଣ ବିଧାୟକ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଉପସ୍ଥିତିରେ ଅଶୋକ ବିଧବଦ୍ଧ ଭାବେ ବିଜେପିରେ ସାମିଲ ହେବେ ।

ଦଳର ଅନେକ ବରିଷ୍ଠ ଓ ତୁଙ୍ଗ ନେତାଙ୍କୁ ମଧ୍ୟ ଏହି ସମାବେଶରେ ଦେଖିବାକୁ ମିଳିବ । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର କର୍ମୀଙ୍କୁ ଠୁଳ ହେବାର କାର୍ଯ୍ୟକ୍ରମ ରହିଛି । ବରପାଲିି ସମାବେଶ ଜରିଆରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ । ସମାବେଶ ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ତେବେ ଏସବୁ ଭିତରେ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ ଭାବେ ସାମନାକୁ ଆଣିଲେ କଡା ବିରୋଧ ହେବ ବୋଲି ମୂଳ ବିଜେପି କର୍ମୀ ଚେତାବନୀ ଦେଇଛନ୍ତି । ଖୋଦ୍ ଜିଲ୍ଲା ସଭାପତି ମଧ୍ୟ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।

ବିଜେପୁର ନେଇ ବିଜେଡି-ବିଜେପି ରାଜନୀତି ସରଗରମ ହୋଇଛି । ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିବା ବେଳେ ବିଜେପିର ପ୍ରାର୍ଥୀତ୍ୱ ନେଇ ସସପେନ୍ସ ଜାରି ରହିଛି । ବିଜେପିର ଜିଲ୍ଲା ସଭାପତି ଅଶୋକଙ୍କ ପ୍ରାର୍ଥୀତ୍ୱ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି । ରୀତାଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ବିଜେଡିରେ ଅସନ୍ତୋଷ ଦେଖାଦେଇଛି ।

ତେଣୁ ଏହି ଦୁଇଦଳର ରାଜନୈତିକ ହଲଚଲରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଜେପୁର ଲଢେଇ ଦୁଇ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ରୀତା ସାହୁ କଂଗ୍ରେସରୁ ଆସିଥିବାରୁ କଂଗ୍ରେସର କିଛି ଭୋଟ ବିଜେଡିକୁ ଆସିବ । ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ତାଙ୍କର କିଛି ପକେଟ ଭୋଟ ବି ବିଜେପିକୁ ଆସିବ । କିନ୍ତୁ ରୀତା ଓ ଅଶୋକଙ୍କୁ ନେଇ ଦୁଇଦଳରେ ଯେଉଁ ଅସନ୍ତୋଷ ଦେଖାଦେଇଛି ତାଙ୍କୁ କିଏ ପ୍ରଶମିତ କରିବ । କାରଣ ଦଳୀୟ ପ୍ରାର୍ଥୀ ଜିତିବାରେ ତୃଣମୂଳ ସ୍ତରର କର୍ମୀଙ୍କ ଭୂମିକା ବେଶୀ । ତେବେ ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସର ସେଭଳି କିଛି ଖାସ ରଣନୀତି ଥିବା ଭଳି ଲାଗୁନାହିଁ ।