୨୭ ବର୍ଷର ଚାକିରି ଜୀବନରେ ୫୨ ଥର ବଦଳି ! ଜାଣନ୍ତୁ କିଏ ଏହି ଆଇଏଏସ୍ ଅଫିସର୍ ?

390

ଆଇଏଏସ୍ ଅଧିକାରୀ ଅଶୋକ ଖେମକାଙ୍କ ୨୦୧୨ରେ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ କମ୍ପାନୀ ଓ ରିୟଲ ଇଷ୍ଟେଟ୍ କମ୍ପାନୀ ଡିଏଲଏଫ ମଧ୍ୟରେ ହୋଇଥିବା ଜମି ସଉଦାକୁ ରଦ୍ଦ କରିଦେଇଥିଲେ ।

ହରିୟାଣା ସରକାର ୧୯୯୧ ବ୍ୟାଚର ବରିଷ୍ଠ ଅମଲା ଅଶୋକ ଖେମକାଙ୍କ ସମେତ ରବିବାର ଦିନ ନଅଜଣ ଆଇଏଏସ୍ ଅଫିସରଙ୍କ ଟ୍ରାନସଫର ଆଦେଶ ଦେଇଛନ୍ତି । କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ପ୍ରମୁଖ ସଚିବ ଅଶୋକ ଖେମକାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ମଧ୍ୟ ସେ ଉକ୍ତ ପଦବୀରେ ଅଧିଷ୍ଠିତ ହୋଇଥିଲେ ।

ମନ୍ତ୍ରୀ ଅନୀଲ ବିଜଙ୍କ ନେତୃତ୍ୱାଧୀନ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ପ୍ରାୟ ୧୫ ମାସ ରହିଥିବା ଖେମକା ତାଙ୍କ ଚାକିରି କାଳ ମଧ୍ୟରେ ଏ ପର୍ଯ୍ୟନ୍ତ ୫୨ ଥର ବଦଳି ହେଲେଣି । ଅଶୋକ ଖେମକା ପଶ୍ଚିମବଙ୍ଗର ମୂଳ ବାସିନ୍ଦା । ଖଡ଼ଗପୁରସ୍ଥିତ ଆଇଆଇଟିରୁ ବିଟେକ୍ କରିବା ପରେ ସେ ମୁମ୍ବାଇରୁ ଏମ୍ବିଏ ଓ କମ୍ପ୍ୟୁଟର୍ ସାଇନସରେ ପିଏଚଡି କରିଥିଲେ । ନିଜର ଚାକିରିକାଳ ମଧ୍ୟରେ ବିଭିନ୍ନ ସମୟରେ ଦୁର୍ନୀତି ବିରୋଧରେ ସ୍ୱରଉତ୍ତୋଳନ କରିଛନ୍ତି । ଏଇ କାରଣରୁ ହିଁ ତାଙ୍କର ବାରମ୍ବାର ବଦଳି ହେଉଛି ବୋଲି କୁହାଯାଉଛି ।