ଯାତ୍ରା ମାଲିକଙ୍କ ଦାବିକୁ ବିଚାର କରିବେ ସରକାର ! ପୁଣିଥରେ ରଙ୍ଗମଞ୍ଚରେ ନାଚି ଉଠିବେ କଳାକାର

41

କନକ ବ୍ୟୁରୋ : ଯାତ୍ରା ମାଲିକ ସେମାନଙ୍କ ଦାବି ନେଇ ଜଣାଇଲେ ବିଚାର କରିବେ ସରକାର । ରାଜ୍ୟରେ ବ୍ୟବସାୟିକ ଯାତ୍ରା ପରିବେଷଣ ବନ୍ଦ ନେଇ ଘୋଷଣା କରିଛି ଯାତ୍ରା ପାର୍ଟି ମାଲିକ ସଂଘ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମାଲିକ ସଂଘ ଏଭଳି ଘୋଷଣା କରିଥିବା ବେଳେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । କହିଛନ୍ତି ଯାତ୍ରା ପାର୍ଟି ମାଲିକ ସଂଘ କୌଣସି ଦାବି ବାବଦରେ ଜଣାଇ ନାହିଁ । ଆଗକୁ ସେମାନଙ୍କ ସମସ୍ୟା ନେଇ ଅବଗତ କଲେ ରାଜ୍ୟ ସରକାର ବିଚାର କରିବେ ବୋଲି ସଂସ୍କୃତି ମନ୍ତ୍ରୀ କହିଛନ୍ତି ।

ଜୁଲାଇ ମାସରୁ ଯାତ୍ରା ବନ୍ଦ କରିବାକୁ ଗତକାଲି ଯାତ୍ରା ପାର୍ଟି ମାଲିକ ସଂଘ ନିଷ୍ପତି ନେଇଥିଲା । ଯାତ୍ରା ପରିବେଷଣ ସମୟରେ ସରକାରଙ୍କ ପ୍ରତିବନ୍ଧକ ଓ ଯାତ୍ରାରେ ଆୟ ଠାରୁ ବ୍ୟୟ ଅଧିକ ହେଉଥିବାରୁ ଏହି ପୁରୁଣା ଲୋକକଳାକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲା ମାଲିକ ସଂଘ । ଯାହାଫଳରେ ଯାତ୍ରା ଜଗତରେ ଏକରକମ ଭାଳେଣୀ ପଡିଯାଇଥିଲା । ଯାତ୍ରା ଜଗତ ସହ ସଂଶ୍ଲିଷ୍ଟ ଥିବା ୫୦୦୦ ଲୋକଙ୍କ ଜୀବନ ଜୀବିକା ଠପ ହୋଇଯିବ ବୋଲି କୁହାଯାଇଥିଲା । ଏପରିକି ଯାତ୍ରାକୁ ଭଲ ପାଉଥିବା ଲୋକେ ଏ ଖବର ଶୁଣି ମର୍ମାହତ ମଧ୍ୟ ହୋଇଥିଲେ । କିନ୍ତୁ ଏହି ଘୋଷଣାର ଗୋଟିଏ ଦିନ ପରେ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଯାତ୍ରା ସଂଘ ଯଦି ସେମାନଙ୍କ ଅସୁବିଧା ସର୍ମ୍ପକରେ ସରକାରଙ୍କୁ ଅବଗତ କରନ୍ତି ତେବେ ବିଚାର କରାଯିବ ।