ଶିଶୁ ଭିକ୍ଷାବୃତ୍ତି ରୋକିବା ପାଇଁ ଯୁବକଙ୍କ ନିଆରା ପ୍ରୟାସ ! ସାରା ଦେଶରେ ୧୧ ହଜାର ୧୩୯ କିଲୋମିଟର କଲେଣି ପଦଯାତ୍ରା, ରାଜ୍ୟ ରାଜ୍ୟ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ ।

132

ଦେଶରେ ଏବେ ଶିଶୁ ଭିକ୍ଷାବୃତ୍ତି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଯେଉଁ କୁନି ବୟସରେ ପିଲାମାନେ ହାତରେ କାଗଜ କଲମ ଧରି ପାଠ ପଢିବା କଥା, ସେହି ହାତରେ ଏବେ ଭିକ ମାଗିବା ପାଇଁ ଥାଳ ଧରୁଛନ୍ତି କୋମଳମତି ଶିଶୁ । ଏଥିରେ ଦୋଷ ଯାହାର ହେଉନା କାହିଁକି କିନ୍ତୁ ଏହି କୁନି ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ହେଇଯାଉଚି, ଯେଉଁମାନେ ଏଇ ଦୁନିଆ କଣ ତାହା ମଧ୍ୟ ଜାଣିପାରୁ ନାହାନ୍ତି  । ମାତ୍ର କେଇଟା ଟଙ୍କା ପାଇଁ ସେମାନେ ରାସ୍ତାରେ ଥାଳ ଧରି ଭିକ ମାଗୁଛନ୍ତି । ଆଉ ଏହାରି ମଧ୍ୟରେ ସବୁଠାରୁ ବଡ କଥା ହେଉଛି, ଯୁବ ବୟସରେ ଅନେକ ଭୁଲ ସଙ୍ଗତିରେ ପଡି କ୍ରିମିନାଲ ମଧ୍ୟ ହୋଇଯାଉଛନ୍ତି । ଶିଶୁ ଭିକ୍ଷାବୃତ୍ତି ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଇଛି ସତ, କିନ୍ତୁ ଆଶାତୀତ ପରିଣାମ ସାମ୍ନାକୁ ଆସିପାରୁନାହିଁ ।

ଆଉ ଏହାରି ମଧ୍ୟରେ ଶିଶୁ ଭିକ୍ଷାବୃତ୍ତି ରୋକିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ଦିଲ୍ଲୀର ଜଣେ ୨୯ ବର୍ଷୀୟ ମେକାନିକାଲ ଇଞ୍ଜିନିୟର । ଏହି ଯୁବକଙ୍କ ନାଁ ହେଉଛି ଆଶିଷ ଶର୍ମା । ଆଉ ସବୁଠାରୁ ବଡ କଥା ହେଉଛି ଆଶିଷ ୧୧ ହଜାର ୧୩୯ କିଲୋମିଟର ପାଦରେ ଚାଲି ବର୍ତ୍ତମାନ ରାୟପୁର ଯାଇଛନ୍ତି । ଆଶିଷ ଅନେକ ରାଜ୍ୟ ବୁଲିବୁଲି ଶିଶୁ ଭିକ୍ଷାବୃତ୍ତି ରୋକିବା ନିମନ୍ତେ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏବଂ ଆଶିଷ ଲକ୍ଷ୍ୟ ରଖିଛନ୍ତି, ୨୦୨୦ ପୂର୍ବରୁ ସେ ସାରା ଦେଶ ଭ୍ରମଣ କରି ଲୋକମାନଙ୍କୁ ସଚେତନ କରିବେ ।

ତେବେ ସବୁଠାରୁ ବଡ କଥା ହେଉଛି ଶିଶୁ ଭିକ୍ଷାବୃତ୍ତି ରୋକିବା ପାଇଁ ଆଶିଷ କାହିଁକି ପଦଯାତ୍ରାର ରାସ୍ତା ବାଛିଲେ ? ଏବି ପ୍ରଶ୍ନ ନେଇ ଆଶିଷ କହିଛନ୍ତି, ପଦଯାତ୍ର ସମୟରେ ସେ ଯେଉଁଠି ବି ଶିଶୁ ଭିକ୍ଷା ମାଗୁଥିବାର ଦେଖନ୍ତି, ତାହାକୁ ସେ ସାମାଜିକ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ଆଶିଷ ଏପର୍ଯ୍ୟନ୍ତ ଏଭଳି ୯ ଜଣ ଶିଶୁଙ୍କୁ ସ୍କୁଲରେ ଆଡମିଶନ କରାଇ ସାରିଲେଣି । ଯେଉଁମାନଙ୍କ ହାତରେ ଦିନେ ଭିକ ମାଗିବା ପାଇଁ ଥାଳ ଥିଲା ଏବେ ସେମାନଙ୍କ ହାତରେ ପାଠ ପଢିବା ପାଇଁ କାଗଜ କଲମ ରହିଛି । ଏହା ଛଡା ଆଶିଷ ବିଭିନ୍ନ ସ୍କୁଲ କଲେଜକୁ ଯାଇ ଛାତ୍ରମାନଙ୍କୁ ସମ୍ବୋଧିତ କରିଥାନ୍ତି । ଆଶିଷ ପୁରା ଦେଶରେ ୧୭ ହଜାର କିଲୋମିଟର ପଦଯାତ୍ରା କରି ଶିଶୁ ଭିକ୍ଷାବୃତ୍ତି ଭଳି ସମସ୍ୟା ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।