ଆତଙ୍କ ଖେଳାଉଛି ନିପା ଭାଇରସ ! କିନ୍ତୁ ଓଡ଼ିଶାର ରହିଛି ଏମିତି ଏକ ଗାଁ, ଯେଉଁଠି ବାଦୁଡ଼ିଙ୍କ ମେଳରେ ମଣିଷ କାଟୁଛନ୍ତି ଜୀବନ

154

କନକ ବ୍ୟୁରୋ : ନିପା ଭାଇରସ୍ ଯୋଗୁଁ କେରଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାରା ଦେଶରେ ଏ ନେଇ ସୃଷ୍ଟି ହୋଇଛି ଆତଙ୍କ । ବାଦୁଡ଼ି ଏହି ମାରାତ୍ମକ ଭାଇରସର ବାହକ ହୋଇଥିବାରୁ ବାଦୁଡ଼ିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ସ୍ଥିତି ଗମ୍ଭୀର ହେଉଥିବା ବେଳେ ଆମେ ଆପଣଙ୍କୁ କାକଟପୁର ଅଂଚଳର ଏପରି ଏକ ଗାଁ ବିଷୟରେ ଜଣାଇବୁ ଯେଉଁଠି ବାଦୁଡ଼ି ସହିତ ଲୋକଙ୍କର ରହିଛି ବର୍ଷ ବର୍ଷର ସଂପର୍କ ।

nipah-virus

କାକଟପୁର ଅଂଚଳର ପାଟସୁନ୍ଦରପୁର ଗାଁ । ଏହି ଗାଁର ବିଶେଷତ୍ୱ ହେଉଛି ବର୍ଷ ବର୍ଷ ଧରି ବାଦୁଡ଼ି ସହିତ ରହିଛି ସ୍ଥାନୀୟ ଲୋକଙ୍କ ଭାବଗତ ସଂପର୍କ । ଗାଁ ତୋଟାରେ ଦେଖିବାକୁ ମିଳିବ ଶହ ଶହ ବାଦୁଡ଼ି । ଯେଉଁ ଗଛକୁ ଚାହିଁବେ, ଦେଖିବେ ମାଳ ମାଳ ବାଦୁଡ଼ି । ଏମାନଙ୍କ ଉପସ୍ଥିତି ଗାଁର ସୌନ୍ଦର୍ଯ୍ୟକୁ ବଢାଉଛି । ତେବେ ମଣିଷ-ବାଦୁଡ଼ିର ଏହି ସଂପର୍କ ଉପରେ ଲାଗିଛି ଏବେ ନିପା ଭାଇରସର ଭୟ । ନିଜ ବଗିଚାରେ ଥିବା ବାଦୁଡ଼ିକୁ ନେଇ ଚିନ୍ତାରେ ପଡିଛନ୍ତି ରାଧେଶ୍ୟାମ ପ୍ରଧାନ । ଏହି କଥା କହିବା ବେଳେ ରୁଦ୍ଧ ହୋଇଯାଉଛି ତାଙ୍କ କଣ୍ଠସ୍ୱର ।

nipah virus

ନିପା ଭାଇରସ୍ ନେଇ ରାଜ୍ୟ ସରକାର ପ୍ରତିଷେଧକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ପାଟସୁନ୍ଦରପୁର ବାସିନ୍ଦାଙ୍କୁ ଘାରିଛି ଅଜଣା ଭୟ । ଗୋଟିଏ ପଟେ ବାଦୁଡ଼ିଙ୍କ ପାଇଁ ସେମାନଙ୍କ ଭଲପାଇବା ଅନ୍ୟପଟେ ଲୋକଙ୍କ ଜୀବନ । ହେଲେ ମଣିଷର ଜୀବନ ପାଇଁ ବାଦୁଡ଼ିକୁ ଛାଡିବାକୁ ପ୍ରସ୍ତୁତ ଗ୍ରାମବାସୀ । କାରଣ ବାଦୁଡ଼ି ପାଇଁ ନିପା ଭାଇରସ ବ୍ୟାପୁଥିବା ଜାଣିବା ପରେ ଏବେ ବାଦୁଡ଼ି ଠାରୁ ଦୁରେଇ ରହିବାକୁ ପ୍ରସ୍ତୁତ ହେଲେଣି ଗ୍ରାମବାସୀ ।

ସବୁଠୁ ବଡ଼ କଥା ହେଲା, ଛୋଟ ଛୋଟ ପିଲା ଗଛ ତଳେ ପଡ଼ିଥିବା ଖଣ୍ଡିଆ ଫଳ ଖାଉଥିବାର ଚିତ୍ର ଦେଖିବାକୁ ମିଳିଛି । ଯଦି ଏହାକୁ ବାଦୁଡ଼ି ଖଣ୍ଡିଆ କରିଥିବ ତେବେ ନିପା ଭାଇରସ ସଂକ୍ରମଣ ହେବ ବୋଲି ବାଦୁଡ଼ି ଖଣ୍ଡିଆ ଫଳ ଖାଇବାକୁ ବାରଣ କରୁଛନ୍ତି ରାଧେଶ୍ୟାମ । ପାଚିଲା ଫଳକୁ ବାଦୁଡ଼ିଠାରୁ ବଂଚାଇବା ପାଇଁ ଫଳକୁ ପଲିଥିନରେ ଘୋଡାଇ ରଖୁଛନ୍ତି । ଡାକ୍ତର ମଧ୍ୟ ତଟକା ଫଳ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି ।

ଓଡ଼ିଶାରେ ନିପା ଭାଇରସକୁ ରୋକିବା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ଆଭଭାଇଜରି । ପାଟସୁନ୍ଦରପୁରର ବାଦୁଡ଼ି ଗହନ ଅଂଚଳରେ ନିପା ଭାଇରସ୍ ଭୟ ବୃଦ୍ଧି ପାଉଥିବା ବେଳେ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି ହେଉଛି ।