ଜେଲରୁ ବାହାରିବେ ନା ଜେଲରେ ରହିବେ ଆଶାରାମ? କୋର୍ଟରୁମ ଆସିବେନି, ଜେଲରେ ଏଭଳି ଶୁଣିବେ ବିଚାରପତିଙ୍କ ରାୟ ।

24

କନକ ବ୍ୟୁରୋ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଥିବା ଦୁଷ୍କର୍ମ ମାମଲାର ରାୟ । ରାଜସ୍ଥାନର ଯୋଧପୁର କୋର୍ଟ ଏହି ଦୁଷ୍କର୍ମ ମାମଲାର ଶୁଣାଣି ଶେଷ କରିଥିବା ବେଳେ ଚୂଡାନ୍ତ ରାୟ ପ୍ରକାଶ କରିବେ । ରାୟକୁ ଦୃଷ୍ଟିରେ ରଖି ଯୋଧପୁରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରରେ ୧୪୪ ଧାରା ଜାରି କରାଯାଇଛି । ରାୟ ପ୍ରକାଶକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନ, ଗୁଜରାଟ ଓ ହରିଆଣା ରାଜ୍ୟକୁ ନିର୍ଦ୍ଦେଶ ନାମା ଜାରି କରି ଅଲର୍ଟ ରହିବାକୁ କହିଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ କୁହାଯାଇଛି । କୌଣସି ପ୍ରକାର ଶୋଭାଯାତ୍ରା, ବିକ୍ଷୋଭ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ରାମରହିମଙ୍କୁ ସିବିଆଇ କୋର୍ଟଙ୍କ ରାୟ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଧ୍ୟାନରେ ରଖି ଏପରି ପଦକ୍ଷେପ ନେଇଛି ପ୍ରଶାସନ । ସାରାଦେଶରେ ଆଶାରାମଙ୍କ ୪୨୭ଟି ଆଶ୍ରମ ରହିଛି ଏବଂ ପ୍ରାୟ ୭୦ ଲକ୍ଷରୁ ଅଧିକ ସମର୍ଥକ ରହିଛନ୍ତି । ଏପରିକି ଆଜି ଯୋଧପୁରରେ ହଜାର ହଜାର ସମର୍ଥକ ଓ ଭକ୍ତ ଏକାଠି ହେବା ସମ୍ଭାବନା ରହିଛି । ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜେଲ ପରିସରରେ ହିଁ ଏହି ରାୟ ପ୍ରକାଶ ପାଇବ । ଆଶାରାମଙ୍କ ନାଁରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ମାମଲା ରହିଛି । ୭୭ ବର୍ଷିୀୟ ଆଶାରାମ ବିଭିନ୍ନ ମାମଲାରେ ଏବେ ଯୋଧପୁର ଜେଲରେ ଅଛନ୍ତି ।

ଏବେ ଆସନ୍ତୁ ଜାଣିବା କଣ ଥିଲା ମାମଲା 

ଉତ୍ତରପ୍ରଦେଶ ଶାହାଜାହାଁପୁରରେ ଜଣେ ୧୬ ବର୍ଷର ନାବାଳିକା ମଧ୍ୟପ୍ରଦେଶର ଆଶ୍ରମରେ ରହି ପଢୁଥିଲେ । ତାଙ୍କୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଶାରାମ ନିଜ କୋଠରୀକୁ ଡାକି ନେଇ ଦୁଷ୍କର୍ମ କରିଥିବା ଖୋଦ୍ ନାବାଳିକା ଅଭିଯୋଗ କରିଥିଲେ । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମକୁ ଅତି କମରେ ୧୦ ବର୍ଷ ଜେଲଦଣ୍ଡ ହେବ । ଏହି ମାମଲାରେ ଆଶାରାମଙ୍କ ଛଡା ଅନ୍ୟ ୪ ଜଣଙ୍କ ନାଁରେ ମାମଲା ଦାୟର ହୋଇଛି । ୨୦୧୩ ସେପେଟମ୍ବର ପହିଲାରେ ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇଥିଲା । ସେହିବର୍ଷ ଆଶାରାମ ଓ ଅନ୍ୟ ୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଥିଲା । ୨୦୧୪ ମସିହାରୁ ଏହି ମାମଲାର ଶୁଣାଣି ହୋଇଛିା ୯ ଜଣ ସାକ୍ଷୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ୫୨ ଜଣ ସାକ୍ଷୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଗତ ୭ ତାରିଖରେ ମାମଲାର ଶୁଣାଣି ଶେଷ ହୋଇଥିଲା । ଆଜି ରାୟ ପ୍ରକାଶ ପାଇବ ।