ଆସାମରେ ବନ୍ୟା !୨୧ଟି ଜିଲ୍ଲା ବନ୍ୟା ଘେରରେ,୧୦ ଲକ୍ଷ ଲୋକ ପ୍ରଭାବିତ

28

କନକ ବ୍ୟୁରୋ : ଉତ୍ତର ପୂର୍ବଭାରତରେ ଗତ ୪ ଦିନଧରି ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ପୁଣି ଗୁରୁତର ରୂପ ଧାରଣ କରିଛି । ଆସାମରେ ବନ୍ୟାରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଆସାମ, ତ୍ରିପୁରା, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ଘଟିଛି ।

ଆସାମର ୨୧ଟି ଜିଲ୍ଲା ବନ୍ୟାଘେରରେ ରହିଛି ଏବଂ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ଜଣ ପ୍ରାଣ ହରାଇଛନ୍ତି । ୧୭୫୦ ଗ୍ରାମ ଜଳ ଅବରୁଦ୍ଧ ହୋଇ ରହିଥିବାବେଳେ ୧ ଲକ୍ଷ ହେକ୍ଟର ଜମିର ଫସଲ ପାଣିରେ ବୁଡ଼ିରହିଛି । ରାଜ୍ୟର ୨୬୮ଟି ଆଶ୍ରୟ ଶିବିରରେ ୬୩ହଜାର ଲୋକ ରହିଛନ୍ତି ।

ବନ୍ୟାଞ୍ଚଳରେ ଏନଡ଼ିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଛି । ଜରୁରୀ ସହାୟତା ନିମନ୍ତେ ସେନାକୁ ସଜାଗ ରଖାଯାଇଛି । ଅପର ଆସାମର ଧେମାଜି, ଲଖିମପଚରା, ତିନସୁକିଆ ଓ ଦିବ୍ରୁଗଡ଼ ଏବଂ ଲୋୟର ଆସାମର ଚିରାଙ୍ଗ, କୋକ୍ରାଝର, ବଙ୍ଗାଇଗାଓଁ ଅଞ୍ଚଳ ଜଳଘେରରେ ରହି ବିପୁଳ କ୍ଷତିଗ୍ରସ୍ତ ହୋଇଛି । ବ୍ରହ୍ମପୁତ୍ର ସମେତ ୧୦ଟି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ରାଜ୍ୟବାସୀ ଆତଙ୍କିତ ରହିଛନ୍ତି ।

ତ୍ରିପୁରାରେ ନାହିଁ ନଥିବା ଅବସ୍ଥା ଉପୁଜିଛି । ହାଓରା ନଦୀର ବନ୍ୟାଜଳ ରାଜଧାନୀ ଅଗରତାଲାକୁ ଜଳଘେରରେ ରଖିିଛି । ରାଜଧାନୀର ବିଭିନ୍ନ ଉଚ୍ଚସ୍ଥାନରେ ଥିବା ସରକାରୀ ଶିବରମାନଙ୍କରେ ପ୍ରାୟ ୨୦ହଜାର ଲୋକ ଆଶ୍ରୟ ନେଇଛନ୍ତି । ଆଜି ମଧ୍ୟ ସେଠାରେ ପ୍ରବଳ ବର୍ଷା ଲାଗିରହିଛି ବନ୍ୟା ପରିସ୍ଥିତିକୁ ଅଧିକ ଗୁରୁତର କରିଛି । ସମଗ୍ର ରାଜ୍ୟରେ ପ୍ରାୟ ୪୫ଶହ ପରିବାର ବାସହୀନ ହୋଇଛନ୍ତି ।