ଶିଶୁକୁ ମୃତ ଭାବି ଫୋପାଡି ଦେବାକୁ କହିଲେ ଡାକ୍ତର, କିନ୍ତୁ ନୂଆ ଜୀବନ ଦେଲେ ଆଶା ଦିଦି! ଡାକ୍ତରଙ୍କ ଦାୟିତ୍ୱହୀନତାକୁ ନେଇ ଉଠିଲା ପ୍ରଶ୍ନ

40

କନକ ବ୍ୟୁରୋ : କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଜନ୍ମିତ ଶିଶକୁୁ ଡାକ୍ତରଙ୍କ ମୃତ ଘୋଷଣା ପରେ ଶିଶୁଟି ଜୀବିତ ଥିବାର ଜଣାପଡ଼ିଲା । ଡାକ୍ତରଙ୍କ ଏଭଳି ଦାୟିତ୍ୱହୀନତା କେନ୍ଦ୍ରାପଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କଡ଼ା ପଦକ୍ଷେପ ପାଇଁ ଦାବି ଉଠିଛି ।

ରଖେ ହରି ତ ମାରେ କିଏ । ଏହାର ଝଲକ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି । ଯେଉଁଠି ଦ୍ୱିତୀୟ ଭଗବାନ ତଥା ଡାକ୍ତର ଶିଶୁଙ୍କୁ ମୃତ ଘୋଷଣା କରୁଛନ୍ତି ସେଠାରେ ଆଶା ଦିଦି ଶିଶୁଙ୍କୁ ଦେଇଛନ୍ତି ନୂଆ ଜୀବନ । ପୂରା ଘଟଣା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । କେନ୍ଦ୍ରାପଡା ମୁଖ୍ୟ ଚିକିିତ୍ସାଳୟରେ ରାଜନଗର ବ୍ଲକର ତାଳଚୁଆ ପଂଚାୟତରେ ରହୁ ଥିବା ଶୁଭଙ୍କରି ଗିରି ଜନ୍ମ ଦିଅନ୍ତି ଏକ ଶିଶୁ କନ୍ୟାକୁ । ତେବେ ଡାକ୍ତର ଶିଶୁଟିକୁ ତୁରନ୍ତ ମୃତ ଘୋଷଣା କରି ସୁଇପରକୁ ଡାକି ଫିଙ୍ଗିଦେବାକୁ କହନ୍ତି । କିନ୍ତୁ ଶୁଭଙ୍କରିଙ୍କ ସହ ଆସିଥିବା ଆଶାକର୍ମୀ ହିଁ ଏହାପରେ ଶିଶୁକୁ ଏକ ନୂଆ ଜୀବନ ଦେଇଥିଲେ । ଆଶାକର୍ମୀ ଜଣକ ପମ୍ପିଂ କରି ଶିଶୁଟି ଜୀବିତ ଥିବାର ଜାଣିପାରିଥିଲେ । ଏହାପରେ ଡାକ୍ତରଙ୍କୁ ଶିଶୁଟି ଜୀବିତ ଥିବାର ସୂଚନା ଦେବା ସତ୍ୱେ ଶୁଣି ନଥିଲେ ଡାକ୍ତର ।

ପରେ ଶିଶୁଟିକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରା ଯାଇଥିବା ଜଣାପଡ଼ିଛି । ତେବେ ସଂପୃକ୍ତ ଡାକ୍ତର ମିଳିନଥିବା ବେଳେ ଶିଶୁ ବିଭାଗର ଡାକ୍ତର ଆନନ୍ଦ ଗୋପାଳ ମହାନ୍ତି ଏହାକୁ ଖଣ୍ଡନ କରି ତାଙ୍କ ନଜରକୁ ଏହା ଆସିନଥିବା କହିଛନ୍ତି ।ସଦର ମହକୁମା ଚିକିିତ୍ସାଳୟରେ ଡାକ୍ତରଙ୍କ ଏଭଳି ଦାୟିତ୍ୱହୀନ କାମକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜୀବିତ ଶିଶୁକୁ ଯଦି ଡାକ୍ତର ମୃତ ଘୋଷଣା କରିନଥିଲେ ତେବେ ପରିବାର ସଦସ୍ୟ କେଉଁ କାରଣରୁ ଅଭିଯୋଗ କରିଛନ୍ତି । ଏଭଳି ଅନେକ ପ୍ରଶ୍ନ ଘଟଣାକୁ ରହସ୍ୟମୟ କରିଦେଇଛି । ପରିବାର ଲୋକେ ତଦନ୍ତ ପାଇଁ କହିଥିବାବେଳେ ସତର ପର୍ଦ୍ଦାଫାଶ ପାଇଁ ଦାବି ଉଠିଛି ।