ଆଲିସାନ ହୋଟେଲରେ ଲୁଚି ରହିଛନ୍ତି ସ୍କାମ ମାଷ୍ଟର ନିରଭ ମୋଦି! ରାତିକୁ ଭଡା ୮୪,୦୦୦ ଟଙ୍କା, ୯୦ ଦିନ ପାଇଁ କରିଛନ୍ତି ବୁକ୍

57

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୧ ହଜାର ୪ ଶହ କୋଟି ଚୂନା ମାରି ଫେରାର ହୋଇଯାଇ୍ଥିବା ହୀରା ବ୍ୟବସାୟୀ ନିରଭ ମୋଦିଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା । ପିଏନବି ମହାଘୋଟାଲା ଜଣା ପଡିବା ପୂର୍ବରୁ ନିରଭ ଦେଶ ଛାଡି ପଳାୟନ କରିଛନ୍ତି । ହଜାର ହଜାର କୋଟି ଟଙ୍କା ଲୁଟ କରିଥିବା ନିରଭ ଏବେ କେଉଁଠି ତାହା ଏବେ ଏକ ବଡ ପ୍ରଶ୍ନ । କିଛି ମିଡିଆ ରିପୋର୍ଟ ଅନୁଯାୟୀ, ନିରଭ ଏବେ ଆମେରିକାର ନ୍ୟୁୟର୍କ ସହରରେ ଏକ ଆଲିସାନ ହୋଟେଲରେ ଲୁଚି ରହିଛନ୍ତି ବୋଲି ଜଣାପଡିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ସବୁଠାରୁ ଦାମୀ ହୋଟେଲ ଜେ ଡବ୍ଲୁ ମ୍ୟାରିଅଟ ଏସେକ୍ସ ହାଉସର ସବୁଠାରୁ ମହଙ୍ଗା ରୁମରେ ରହୁଛନ୍ତି ନିରଭ । ଯାହାର ପ୍ରତିଦିନର ଭଡା ହେଉଛି ୮୩,୬୪୨ ଟଙ୍କା । ଏହି ଆଲିସାନ ହୋଟେଲର ୩୬ତମ ଫ୍ଲୋରରେ ନିରଭ ରହୁଥିବା ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ୬୭ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଦେଇ ୯୦ ଦିନ ପାଇଁ ଏହି ରୁମ ବୁକ କରାଯାଇଥିବା ଜଣାପଡିଛି । ତେବେ ବିଦେଶ ମନ୍ତ୍ରାଳୟ କହିଛି, ନିରଭ କେଉଁଠି ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।

୩୬ତମ ଫ୍ଲୋରରେ ଥିବା ସେଣ୍ଟ୍ରାଲ ପାର୍କ ଡିଲକ୍ସ ସ୍ୱିଟରେ ନିରଭଙ୍କ ପୂରା ପରିବାର ରହୁଥିବା ଜଣାପଡିଛି । ୧୧୯୦ ସ୍କୋୟର ଫୁଟ ଏହି ସ୍ୱିଟରେ ରହି ଅଫିସ କାମ ମଧ୍ୟ କରାଯାଇପାରିବ । ନିରଭଙ୍କ ଏହା ସବୁଠାରୁ ଅଧିକ ପସନ୍ଦର ହୋଟେଲ । ତେଣୁ ଆମେରିକାରେ ଅଧିକାଂଶ ସମୟ ଏହି ହୋଟେଲରେ ରହିଥାନ୍ତି ନିରଭ । ନିରଭଙ୍କ ପତ୍ନୀ ଆମେରିକୀୟ ନାଗରିକ ହୋଇଥିବାରୁ ଅଧିକାଂଶ ସମୟ ସେ ଆମେରିକାରେ ରହିଥାନ୍ତି । ଏହି ମହାଠକେଇ ଘଟଣାରେ ନିରଭଙ୍କ ସମେତ ତାଙ୍କ ସହଯୋଗୀଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି ଭାରତ ସରକାର । ଏହାଛଡା ଏହି ଘଟଣାରେ ବ୍ରାଞ୍ଚ ମ୍ୟାନେଜରଙ୍କୁ ମିଶାଇ ୩ ଜଣଙ୍କୁ ଗିରଫ କରାଯାଇଛି ।