ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ସତ୍ୱେ ଆସ୍ଥାଭୋଟ ଲୋଡିଲେ କୁମାରସ୍ୱାମୀ : ସୋମବାର ବିଧାନସଭାରେ ଦେଇପାରନ୍ତି ଫ୍ଲୋର ଟେଷ୍ଟ, ହୁଇପ୍ ଜାରି କଲେ କଂଗ୍ରେସ, ଜେଡିଏସ ଓ ବିଜେପି

172

କନକ ବ୍ୟୁରୋ : କଂଗ୍ରେସର ବାଗି ବିଧାୟକଙ୍କ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ରହିଛି । ଆଉ ଏହାରି ଭିତରେ ଆଗାମୀ ସୋମବାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ତେବେ ଆସ୍ଥା ଭୋଟକୁ ନେଇ କଂଗ୍ରେସ-ଜେଡିଏସ ଆଶାବାଦୀ ଅଛନ୍ତି । ତାର କାରଣ ହେଲା ଇସ୍ତଫା ଦେଇଥିବା ୧୬ଜଣ ବିଧାୟକଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି ବାଚସ୍ପତି । ଅର୍ଥାତ୍ ବିଧାନସଭାର ମୋଟ୍ ସିଟ ସଂଖ୍ୟା ୨୨୪ ଧରାଯିବ । ସରକାରଙ୍କ ପାଇଁ ମ୍ୟାଜିକ ନମ୍ବର ହେବ ୧୧୩ । ମେଂଟ ସରକାର ପାଖରେ ଅଛି ୧୧୬ ।

ଶିବାଜୀନଗର ବିଧାୟକ ରୋଶନ ବେଗଙ୍କୁ କଂଗ୍ରସ ନିଲମ୍ବିତ କରିଥିଲା । ଏହାପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ତେଣୁ ତାଙ୍କୁ ବାଦ୍ ଦେଇ କଂଗ୍ରେସ ପାଖରେ ଅଛନ୍ତି ୭୮ ବିଧାୟକ । ଜେଡିଏସର ୩୭ ଓ ବିଏସପିର ଜଣେ ବିଧାୟକଙ୍କ ମେଂଟ ସରକାରଙ୍କୁ ସମର୍ଥନ ରହିଛି । ଆସ୍ଥା ଭୋଟ୍ ପୂର୍ବରୁ ଦୁଇଦଳ ହ୍ୱିପ୍ ଜାରି କରିଛନ୍ତି । ଦଳୀୟ ହ୍ୱିପକୁ ଅମାନ୍ୟ କଲେ ଦଳ ବଦଳ ଆଇନ ଅନୁସାରେ ବାଚସ୍ପତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରନ୍ତି । ଏବଂ ଏହିସବୁ ଆସନରେ ୬ମାସ ମଧ୍ୟରେ ଉପନିର୍ବାଚନ ହେବ ।

ହେଲେ ଯଦି ବାଚସ୍ପତିଙ୍କୁ ସମସ୍ତ ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରଣହ କରିବାକୁ ପଡେ ତାହାହେଲେ ଆସ୍ଥା ଭୋଟରେ ହାରିଯିବେ ସରକାର । କାରଣ ଏମାନଙ୍କୁ ବାଦ୍ ଦେଲେ ମେଂଟ ନିକଟରେ ୧୦୦ ସଦସ୍ୟଙ୍କ ସମର୍ଥନ ରହିବ । ଏବଂ ବିଧାନସଭାର ମୋଟ୍ ସଭ୍ୟ ସଂଖ୍ୟା ୨୦୮ବିଚାର କରାଯିବ । ଫଳରେ ସରକାରଙ୍କ ପାଇଁ ମ୍ୟାଜିକ ନମ୍ବର ହେବ ୧୦୫ । ବିଜେପି ପାଖରେ ଏହି ସଂଖ୍ୟା ପୂର୍ବରୁ ରହିଛି । ଏବେ ୨ ସ୍ୱାଧୀନ ବିଧାୟକଙ୍କ ସହ ଦଳ ପାଖରେ ୧୦୭ ବିଧାୟକ ଅଛନ୍ତି । ତେଣୁ ବିଜେପି ସରକାର ଗଢିବାକୁ ଦାବି ଜଣାଇପାରେ ।